Unknown

 

 

 

 

 

 

 

 

 

 

ଧୃତରାଷ୍ଟ୍ର ଓ ଗାନ୍ଧାରୀ

ଶ୍ରୀ କାର୍ତ୍ତିକ କୁମାର ଘୋଷ

 

ନିଜକଥା

 

ପରୀକ୍ଷାମୂଳକ ନାଟକ ଲେଖିବାପାଇଁ ଅନୁରୋଧ କରିଥିଲେ ବହୁବନ୍ଧୁ । ‘‘ଧୃତରାଷ୍ଟ୍ର ଓ ଗାନ୍ଧାରୀ’’ ସେହି ଉତ୍ସାହପ୍ରସୂତ ପ୍ରଥମ ରଚନା । ଗୋଟିଏ ବଡ଼ ନାଟକରେ ଯାହା ରହିବାର କଥା- ଅର୍ଥାତ୍‌ ପୂର୍ଣ୍ଣାଙ୍ଗ ନାଟକର ପାରମ୍ପାରିକ ରୀତିରେ ଲିଖିତ ଉପଭୋଗ୍ୟ ଉପାଦାନଗୁଡ଼ିକୁ ବଜାୟ ରଖି ସଂକ୍ଷିପ୍ତ ନାଟକ ରଚନା କଲେ କ’ଣ ଫଳ ମିଳିବ ତାହାହିଁ ଥିଲା ମୋର ନାଟକ ରଚନାର ପରୀକ୍ଷା । ସୀମିତ ସମୟ ମଧ୍ୟରେ ଅଳ୍ପସଂଖ୍ୟକ କଳାକାର ଘେନି ନାଟକର ଉପସ୍ଥାପନା ବୋଧହୁଏ ଏହି ପ୍ରଥମ । ନାଚ ଗୀତ ନ ଥାଇ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ନାଟକୀୟ ଉତ୍କଣ୍ଠା ରଖିପାରିବା ଏକ ଦୁରୂହ ବ୍ୟାପାର । ତଥାପି ମୁଁ ଚେଷ୍ଟାରେ ତ୍ରୁଟି କରିନାହିଁ ।

 

ପ୍ରଥମ ଦିନର ଦର୍ଶକଙ୍କ ହାର୍ଦ୍ଦିକ ଅଭିନନ୍ଦନ ଦେଇଥିଲା ସାଫଲ୍ୟର ପରିଚୟ । ଜନତା ରଙ୍ଗମଞ୍ଚର ତତ୍‌କାଳୀନ କଳାକାରମାନଙ୍କର ସଫଳ ଅଭିନୟ ଓ ଶ୍ରୀ ପ୍ରଫୁଲ୍ଲ ଶାସ୍ତ୍ରୀଙ୍କର ଅଦମ୍ୟ ଉତ୍ସାହରେ ଏହି ନାଟକ ବହୁଦିନ ଧରି ଦର୍ଶକଙ୍କୁ ଆନନ୍ଦ ଦାନ କରିଥିଲା ।

 

ଯେଉଁମାନେ ଏହି ନାଟକର ସାଫଲ୍ୟପାଇଁ ପ୍ରତ୍ୟକ୍ଷ ଓ ପରୋକ୍ଷରେ ସାହାଯ୍ୟ କରିଛନ୍ତି, ତାଙ୍କୁ ଜଣାଉଛି ମୋର ହାର୍ଦ୍ଦିକ ଶ୍ରଦ୍ଧା ।

 

 

 

 

‘‘ଓଡ଼ିଶା ବୁକ୍‌ଷ୍ଟୋର’’ ଏହି ନାଟକ ପ୍ରକାଶନର ଭାରନେଇ ମୋତେ ଉତ୍ସାହିତ କରିଥିବାରୁ କୃତଜ୍ଞତା ଜଣାଉଛି ।

 

କଟକ

 

ତା ୧୦ ।୧୧। ୭୩

କାର୍ତ୍ତିକ

ରାସ ପୂର୍ଣ୍ଣିମା

 

—୦—

 

ସାମାନ୍ୟ କଥନ

 

ଶ୍ରୀ ପୂର୍ଣ୍ଣେନ୍ଦୁ ଲାଲ ବୋଷ

ଅଧ୍ୟାପକ ମନୋବିଜ୍ଞାନ ବିଭାଗ

ଉତ୍କଳ ବିଶ୍ୱବିଦ୍ୟାଳୟ,

ଭୁବନେଶ୍ୱର

 

ମଣିଷର ମନ ବଡ଼ ବିଚିତ୍ର । ଜୀବନର ପ୍ରତି କ୍ଷଣରେ ଶରୀର ମଧ୍ୟରେ ଯେପରି ଜୀବକୋଷର ସୃଷ୍ଟି ଓ ଧ୍ୱଂସ ଅବିରାମ ଗତିରେ ଚାଲିଥାଏ, ମନ ମଧ୍ୟରେ ଠିକ୍‌ ସେହିପରି ଦୁଇଟି ପରସ୍ପର- ବିରୋଧୀ ଶକ୍ତିଶାଳୀ ପ୍ରବୃତ୍ତିର ସଂଘର୍ଷ ପ୍ରତିନିୟତ ବିଦ୍ୟମାନ । ବିଖ୍ୟାତ ମନୋବିଜ୍ଞାନୀ ଫ୍ରୟେଡ଼୍ (Freud) କହିଛନ୍ତି ଯେ, ମନ ମଧ୍ୟରେ ଇରସ (Eros) ଓ ଥାନାଟସ (Thanatos)ର ସଦାବିରୋଧ ବର୍ତ୍ତମାନ । ଇରସ୍‌ ହେଲା ଜୀବନ-ପ୍ରବୃତ୍ତି, ଥାନାଟସ- ମୃତ୍ୟୁ-ପ୍ରବୃତ୍ତି । ଇରସ୍‌ ଚାହେଁ ସୃଷ୍ଟି । ଥାନାଟସ୍‍ର ଲକ୍ଷ୍ୟହେଲା ଧ୍ୱଂସ । ଏହି ଦୁଇ ପରସ୍ପର- ବିରୋଧୀ ପ୍ରଚଣ୍ଡ ଶକ୍ତିଶାଳୀ ପ୍ରବୃତ୍ତିର ପ୍ରଭାବରୁ କୌଣସି ମାନବ-ମନ ମୁକ୍ତ ନୁହେଁ । ସାଧାରଣ ବ୍ୟକ୍ତିର ଜୀବନରେ କେତେବେଳେ ବା ସୃଷ୍ଟି-ପ୍ରବୃତ୍ତି ବଳଶାଳୀ ହୁଏ, ପୁଣି କେବେ କେବେ ଧ୍ୱଂସ-ପ୍ରବୃତ୍ତି ଅଧିକ ଶକ୍ତିଶାଳୀ ହୋଇଉଠେ ।

 

ପୁଣି ମାନବ ବ୍ୟକ୍ତିତ୍ୱକୁ ବିଶ୍ଲେଷଣ କଲେ, ଦେଖାଯାଇଛି ଯେ ତନ୍ମଧ୍ୟରେ ଦୁଇଟି ବିପରୀତଗାମୀ ସତ୍ତାର ସଂଘର୍ଷ ସଦା ବିଦ୍ୟମାନ । ଫ୍ରୟେଡ଼୍ ଏ ଦୁଇଟିକୁ ‘ଇଡ଼୍’ (Id) ଓ ସୁପରଇଗୋ (superego) ନାମକରଣ କରିଛନ୍ତି । ଇଡ଼୍ ମଣିଷ ମନର କୁ-ସତ୍ତା ଓ ସୁପରଇଗୋ ସୁ-ସତ୍ତା । କୌଣସି ମାନବ ମନ କେବଳ ଇଡ଼୍(କୁ) ବା କେବଳମାତ୍ର ସୁପରଇଗୋ (ସୁ)ରେ ଗଢ଼ା ନୁହେଁ । ଇଡ଼୍‍ର ବଶବର୍ତ୍ତୀ ହୋଇ ମଣିଷ କେବଳମାତ୍ର ଇନ୍ଦ୍ରିୟ ସୁଖ ଲାଳସାର ତୃପ୍ତି ସାଧନାରେ ବ୍ୟସ୍ତ ରହେ- ସମାଜ- ବିଦ୍ରୋହୀ ନୀତିହୀନ କାର୍ଯ୍ୟକଳାପ କରେ । ପୁଣି କେତେବେଳେ ବା ସୁପରଇଗୋର ପ୍ରଭାବରେ ସେ ବିବେକୀ ହୋଇଉଠେ; ଧର୍ମ ଭାବାପନ୍ନ ହୁଏ । ଉଚିତ-ଅନୁଚିତର ତୁଳନା କରି ଉଚିତ କାର୍ଯ୍ୟହିଁ କରେ ।

 

ମଣିଷ ମନର ଏହି ଦୁଇଟି ପରସ୍ପର ବିରୋଧୀ ସତ୍ତାଗୁଡ଼ିକର ସୁନ୍ଦର ନାଟକୀୟ ଉପସ୍ଥାପନା କରିଛନ୍ତି ଶ୍ରୀ କାର୍ତ୍ତିକ କୁମାର ତାଙ୍କର ଅନବଦ୍ୟ ସୃଷ୍ଟି ‘ଧୃତରାଷ୍ଟ୍ର ଓ ଗାନ୍ଧାରୀ’ ମାଧ୍ୟମରେ । ନାୟକ ଜଗମୋହନଙ୍କର ଦୁଇ ଅନୁଚରଙ୍କର ନାମକରଣ ମଧ୍ୟ ସେ ସୁନ୍ଦର ସାଙ୍କେତିକ ଭାବରେ କରିଛନ୍ତି । ‘ସୁଜନ’ ଓ ‘କୁଜନ’ । କେବଳ ଦୁଇଟି ନାମ ମାତ୍ର ନୁହେଁ- ସେମାନଙ୍କର କାର୍ଯ୍ୟକଳାପ, କଥାବାର୍ତ୍ତାରେ ମଧ୍ୟ ସେହି ଚିରନ୍ତନ ‘ସୁ’ ଓ ‘କୁ’ର ବିପରୀତ ପନ୍ଥୀତାର ସାର୍ଥକ ପରିସ୍ଫୁଟନ କରାଯାଇଛି । ଜଗମୋହନ ଉଭୟଙ୍କୁ ଏକାନ୍ତ ଆତ୍ମୀୟ ବୋଲି ମଣନ୍ତି, ଉଭୟଙ୍କ ଉପରେ ନିର୍ଭର କରନ୍ତି, ଅର୍ଥାତ୍‌ ଅନ୍ୟଦିଗରୁ ଦେଖିଲେ ସେମାନେ ଦୁହେଁ ଯେପରି ତାଙ୍କର ଦୁଇଟି ସତ୍ତା ।

 

‘କରାଳୀ’ ଚରିତ୍ର ମଧ୍ୟ ଏକ ସାର୍ଥକ ସୃଷ୍ଟି । ଇଡ଼୍ ଓ ସୁପର ଇଗୋର ସୁନ୍ଦର ଅଭିବ୍ୟକ୍ତି ଏହି ଚରିତ୍ର ମାଧ୍ୟମରେ କରାଯାଇଛି । ସେହି ଏକହିଁ ମନରେ ସୁପରଇଗୋର ପ୍ରଭାବରେ ସେ ସରଳା କମଳା, ପୁଣି ଇଡ଼୍‍ର ପ୍ରଭାବରେ ସେ ନିର୍ମମ ପ୍ରତିହିଂସାପରାୟଣା କରାଳୀ ।

 

ଅତି ଦୃଢ଼ ଓ ତାତ୍ପର୍ଯ୍ୟପୂର୍ଣ୍ଣ ସଂଳାପ ମାଧ୍ୟମରେ, ଅତି ଅଳ୍ପ ସମୟ ମଧ୍ୟରେ ନାଟ୍ୟକାର ବର୍ତ୍ତମାନ ଯୁଗର ‘ସୁ’ ଓ ‘କୁ’ର ସଂଘର୍ଷ ଓ ତାର ପରିଣତି ଏତେ ସୁନ୍ଦର ଓ ସ୍ପଷ୍ଟ ଭାବରେ ଉପସ୍ଥାପନା କରିଥିବା ଯୋଗୁଁ ଦର୍ଶକ ଓ ପାଠକ ଉଭୟଙ୍କର ବନ୍ଦନୀୟ ବଳିଷ୍ଠ ଓ ସାଙ୍କେତିକ ସଂଳାପ, ଘଟଣାବଳୀର ଦ୍ରୁତ ପରିବର୍ତ୍ତନ ଦର୍ଶକ ଓ ପାଠକକୁ ନାଟକର ଶେଷ ପରିଣତି ଲାଗି ରୁଦ୍ଧଶ୍ୱାସରେ ଅପେକ୍ଷା କରିବାକୁ ବାଧ୍ୟ କରିବ । ଅଥଚ ସବୁଠାରୁ ବଡ଼ କଥା ହେଲା ଏହି ଅଧୀର ଅପେକ୍ଷା କାଳ ଦୀର୍ଘ ନୁହେଁ । ଓଡ଼ିଆ ଏକାଙ୍କିକାର ଇତିହାସରେ ‘ଧୃତରାଷ୍ଟ୍ର ଓ ଗାନ୍ଧରୀ’ ତେଣୁ ଏକ ନୂତନ ଓ ଅନବାଦ୍ୟ ସୃଷ୍ଟି । ସ୍ରଷ୍ଟା ଶ୍ରୀ କାର୍ତ୍ତିକ କୁମାର ଏଥିଲାଗି ନମସ୍ୟ ।

—୦—

 

ଜନତା ରଙ୍ଗମଞ୍ଚଦ୍ୱାରା ଅତି ସଫଳତାର ସହିତ ବହୁଦିନଧରି ଅଭିନୀତ । ଆରମ୍ଭ ରଜନୀ ଜାନୁଆରୀ ୧୯୭୨ ।

 

ଅଂଶଗ୍ରହଣ କରିଥିଲେ

 

ଜଗମୋହନ

ସତ୍ୟ ସିହ୍ନା(ଖଚୁନା)

ସୁଜନ

ବିଜୟ

କୁଜନ

ଶଶାଙ୍କ

ହରିଆ

ବାବାଜି

ରତ୍ନଗର୍ଭା

ଚନ୍ଦ୍ରାବତୀ

କରାଳୀ

ଝୁନୁ

—୦—

 

Unknown

ଦୃଶ୍ୟ

 

 

 

ଗୋଟିଏ ପ୍ରଶସ୍ତ କକ୍ଷ । ଆଡ଼ମ୍ୱରପୂର୍ଣ୍ଣ ସାଜସଜ୍ଜା । ମଝିରେ ଗୋଟିଏ ଟେବୁଲ୍‍, ଦୁଇପଟେ ଦୁଇଟି ଚୌକି, ଟିକିଏ ଦୂରରେ ଗୋଟିଏ ସୋଫା-। କକ୍ଷରୁ ଭିତରପଟକୁ ଯିବାର ଏକ ଦରଜା । ଦରଜା ପାଖେ ଝରକା, ସବୁଥିରେ ପରଦା ଟଣାହେଇଚି । ଗୋଟିଏ ଉଚ୍ଚ ଟୁଲ୍ ଉପରେ ଫୁଲଦାନୀରେ ଫୁଲର ତୋଡ଼ା । ଗୃହସ୍ୱାମୀର ରୁଚିର ପରିଚୟ ମିଳେ ଆସବାବପତ୍ରରୁ ।

 

 

*(ଖାଲି କଳା ପରଦା ମଧ୍ୟ ବ୍ୟବହାର କରାଯାଇ ପାରେ ଦୃଶ୍ୟପଟ ବଦଳରେ । ମାତ୍ର ଚୌକି ଓ ଛୋଟ ଟେବୁଲ୍‍ଗୁଡ଼ିକର ପ୍ରୟୋଜନ ।)

 

 

ଗୋଟିଏ ଚୌକିରେ ବସିଥିଲେ ଜଗମୋହନ ଚମ୍ପତିରାୟ, ପାଖରେ ତାଙ୍କର ସହଧର୍ମିଣୀ ରତ୍ନଗର୍ଭା, ଅଦୂରରେ ଠିଆ ହୋଇଥିଲେ କର୍ମଚାରୀ-ସୁଜନ । ଜଗମୋହନ ପଚାରୁଥିଲେ-

 

 

 

ଜଗମୋହନ

-

ସୁଜନ ! ଆଜିର ବିଶେଷ ସମ୍ୱାଦ ?

ସୁଜନ

-

ବିସମ୍ୱାଦ । ପ୍ରତ୍ୟାଖ୍ୟାନ ।

ଜଗ

-

କାହିଁକି ?

ସୁଜନ

-

ପ୍ରତିପତ୍ତି-କ୍ଷମତାର ମୋହ ।

ଜଗ

-

ତେବେ ?

ସୁଜନ

-

ସମୟର ପ୍ରଭାବକୁ ଅପେକ୍ଷା କରିବାକୁ ପଡ଼ିବ ।

ଜଗ

-

ହୁଁ ।

ରତ୍ନଗର୍ଭା

-

ତୁମର ‘ହୁଁ’ର ମାନେ ତ ବୁଝିପାରୁନି ?

ଜଗ

-

ରତ୍ନଗର୍ଭା ଯଦି ବୁଝିନପାରେ, ତେବେ- ? କ’ଣ କହୁଚ ସୁଜନ ?

ସୁଜନ

-

କୁହନ୍ତୁ ?

ଜଗ

-

ସମୟର ସୁଯୋଗ ଛଡ଼ା ଆଜିକାଲି ଆଉ ଉପାୟ କ’ଣ ଅଛି ?

ସୁଜନ

-

ସେ ସୁଯୋଗ ନେବା କ’ଣ ମାନବିକତା ?

ଜଗ

-

ବୁଦ୍ଧିମାନର କାମ ନିଶ୍ଚୟ ?

ସୁଜନ

-

ସବୁ କ୍ଷେତ୍ରରେ ନୁହେଁ ।

ଜଗ

-

ତୁମେ ପୁରାତନ ପନ୍ଥୀ ।

ରତ୍ନ

-

ତାର ବୟସ ହୁଏତ ପୁରୁଣା ହୋଇଚି- ତୁମେ କ’ଣ ବୟସର ମହତ୍ତ୍ୱ ହରେଇ ନାହଁ ?

ଜଗ

-

ମୁଁ ଯୁଗର ଗତି ଲକ୍ଷ୍ୟକରୁଚି- ଆଗାମୀ-କାଲିର ସ୍ଥିତି ବିଷୟ ଚିନ୍ତା କରୁଚି- ତା’ ସହିତ ସମାନ ଭାବେ ପାଦ ମିଶେଇ ଚାଲୁଚି । ବୟସର ମାପକାଠି ମୋ ପାଖରେ ଅଚଳା । (ଟିକିଏ ରହି) ସୁଜନ !

ସୁଜନ

-

ଆଜ୍ଞା !

ଜଗ

-

କହିପାରିବ ମଣିଷ ଜନ୍ମହୁଏ କାହିଁକି ?

ସୁଜନ

-

ସୃଷ୍ଟିର ବୈଚିତ୍ର୍ୟ ବଢ଼େଇବାପାଇଁ

ଜଗ

-

ଟିକିଏ ଭୁଲ୍ ଉତ୍ତର ହେଲା ସୁଜନ । ସବୁ ମଣିଷତ ପ୍ରାୟ ଏକ ପ୍ରକାରର- ବୈଚିତ୍ର୍ୟ ଆସିଲା କେଉଁଠୁ ?

ସୁଜନ

-

ବୈଚିତ୍ର୍ୟ ତାର କାର୍ଯ୍ୟକଳାପରେ । ମଣିଷର କାର୍ଯ୍ୟକଳାପରେ ଯେତେ ବୈଚିତ୍ର୍ୟ- ଉଦ୍ୟାନର ବିଭିନ୍ନ ପ୍ରକାର ଫୁଲରେବି ଏତେ ବୈଚିତ୍ର୍ୟ ଅଛି କି ନା ସନ୍ଦେହ ।

ଜଗ

-

ଖୁବ୍ ସୁନ୍ଦର କହିଚ ସୁଜନ । ଏଇଥିପାଇଁ ତୁମକୁ ମୋର ସହକାରୀ କରିନେଇଛି । କିନ୍ତୁ, କହିଲ ନାହିଁ’ତ ସ୍ତ୍ରୀ ନା ପୁରୁଷ କେଉଁଟି ବେଶି ବୈଚିତ୍ର୍ୟପୂର୍ଣ୍ଣ ?

ସୁଜନ

-

ସ୍ତ୍ରୀ ଚରିତ୍ର ଅବୋଧ୍ୟ- ମାତ୍ର ପୁରୁଷ ଚରିତ୍ର ବୈଚିତ୍ର୍ୟପୂର୍ଣ୍ଣ । ସେ ମଦପିଏ, ଗଞ୍ଜେଇ ଟାଣେ, ଗୁଲିଖାଏ- ପୁଣି, ନିରାମିଷ ଆହାର କରେ, ଗଙ୍ଗାପାଣି ପିଏ । ଚୋରି କରେ, ଡକେଇତି କରେ, ଖୁନ୍‌କରେ,- ହେଲେ, ଦାନ କରେ, ଧର୍ମ କରେ, ସମୟରେ ଜୀବନ ଉତ୍ସର୍ଗବି କରେ । ପୁଣି ନୀତିର ନିୟାମକ ହୋଇ ଦୁର୍ନୀତିର ବିଧାୟକ ବି ସାଜେ ।

ଜଗ

-

ତଥାପି ବିଧାତାର ଅପରୂପ ସୃଷ୍ଟି ହେଉଚି ମଣିଷ । ଆଉ, ମଣିଷର ଅଭିନବ ସୃଷ୍ଟି-

ସୁଜନ

-

ଦୋ’ ମୁହାଁ ନୀତି ।

ଜଗ

-

ହାଃ- ହାଃ- ହାଃ

ରତ୍ନ

-

ନିଜର ପରିଚୟରେ ଏତେ ଆନନ୍ଦ ?

ଜଗ

-

ଏଇଠି ସୃଷ୍ଟିର ରହସ୍ୟ । ଥାଉ, ଅନ୍ୟକଥାର ଆଲୋଚନା କରାଯାଉ-। ତୁମେ ଯାଇଥିଲ ସୁଜନ ?

ସୁଜନ

-

ଯାଇଥିଲି ।

ଜଗ

-

କ’ଣ କହିଲେ ?

ସୁଜନ

-

ସାତଦିନ ପରେ କହିବେ ।

ଜଗ

-

ସାତଦିନ ? ସାହସ ତ ଖୁବ୍‌ ବଢ଼ିଗଲାଣି ଦେଖୁଚି ।

ସୁଜନ

-

ପାଖରେ କହିନଥିଲେ; ମୋର ପ୍ରବେଶରେ ଖୁବ୍‌ ଖୁସି ହେଇପାରିନଥିଲେ ।

ଜଗ

-

ଠିକ୍‌ ହୋଇଚି । ଖୁବ୍‌ ଖୁସି ହେବାରେ ତାଙ୍କର କ୍ଷତି ହୋଇଥାନ୍ତା ।

ରତ୍ନ

-

ପରର ଲାଭରେ ତୁମେ ଖୁସି ହେଲଣି ଦେଖୁଚି । ହଠାତ୍‌ ଏପରି ପରିବର୍ତ୍ତନର କାରଣ ?

ଜଗ

-

ତୁମେ କ୍ରମଶଃ ପଛେଇଯାଉଛ ଦେଖି ଶଙ୍କିତ ହେଉଚି । ମୋର ଏତେ ପାଖରେ ରହି ତୁମେ ଲକ୍ଷ୍ୟଭ୍ରଷ୍ଟ ହେଉଚ- ଆଶ୍ଚର୍ଯ୍ୟ ?

ରତ୍ନ

-

ତୁମଠୁ ଖୁବ୍‌ ଦୂରେଇ ଯାଉଚି ଭାବି ବିଚଳିତ ହେଉନାହିଁ ତ ?

ଜଗ

-

ତା’ହୋଇନି, ତେବେ ଦୂରେଇଯିବାରେ ବାଧାଦେବାକୁ ବି ଇଚ୍ଛା କରୁନି ।

ରତ୍ନ

-

କ’ଣ ଅଭିନୟ ଶେଷ ହେବାର ଉପକ୍ରମ ଦେଖି ?

ଜଗ

-

ଅଭିନୟ ଶେଷହେବ କେବଳ ଯବନିକା ପଡ଼ିଲେ- ସେ ତ ବହୁ ଡେରି-। ସୁଜନ ।

ସୁଜନ

-

କୁହନ୍ତୁ ?

ଜଗ

-

ମହାଭାରତ ଯୁଦ୍ଧ କେତେଦିନ ଚାଲିଥିଲା ?

ସୁଜନ

-

ଅଠରଦିନ-ରାମାୟଣ ବହୁଦିନ ।

ଜଗ

-

ଆମର ଯୁଦ୍ଧ ?

ରତ୍ନ

-

ଏ ଜୀବନରେ ଶେଷ ହେବନି ।

ଜଗ

-

ଅଳ୍ପ କଥାରେ ବେଶି ରାଗ କାହିଁକି ? କହିପାରିବ ସୁଜନ ଯୁଦ୍ଧ ହୁଏ କାହିଁକି ?

ସୁଜନ

-

ଶକ୍ତିର ଗୌରବପାଇଁ

ଜଗ

-

କିଏ ବିଜୟୀ ହୁଏ ?

ସୁଜନ

-

ଶକ୍ତି ବିଜୟୀ ହୁଏ । ମାତ୍ର ଶକ୍ତିର ଦମ୍ଭ ପରାଜିତ ହୁଏ ।

ଜଗ

-

କିନ୍ତୁ ତୁମେ ସ୍ୱୀକାର କରିବ, ଦମ୍ଭ ନଥିଲେ ନିଜକୁ ପ୍ରତିଷ୍ଠିତ କରି ହୁଏନା ?

ସୁଜନ

-

ହୁଏତ ଠିକ୍‌ ହେଲେ-

ଜଗ

-

ଏଥିରେ ‘ହେଲେ’ କହିବା ଅନୁଚିତ । ମୁଁ ନମ୍ରତାକୁ ସମର୍ଥନ କରେ, ମାତ୍ର ଦାମ୍ଭୀକତାକୁ ଶ୍ରଦ୍ଧା କରେ ।

ସୁଜନ

-

ଆପଣଙ୍କର ଯୁକ୍ତି ଉପରେ ତର୍କ କରିବାକୁ ଚାହେଁନା ।

ଜଗ

-

ଭଲ, ବର୍ତ୍ତମାନ ବିଶ୍ୱାସ କରିନପାରିଲେ ଭବିଷ୍ୟତରେ କରିବ ନିଶ୍ଚୟ-। କହିପାରିବ, ଉତ୍ତର ଦିଗର ଖବର କ’ଣ ?

ସୁଜନ

-

ଅସ୍ଥିରତା ।

ଜଗ

-

ପୁରୁଣା କଥା ।

ସୁଜନ

-

ନୂଆକଥା, ଅସ୍ଥିରତା ବଢ଼ିଚି ।

ଜଗ

-

ହୁଁ, ଭଲକଥା । ମୁ ଏଇୟା ଚାହୁଁଥିଲି ।

ରତ୍ନ

-

ତୁମର ଏ ବ୍ୟବସାୟ କେତେଦିନ ଚାଲିବ ?

ଜଗ

-

ଯେତେଦିନ ବନ୍ଦ ନ ହୁଏ

ସୁଜନ

-

ପ୍ରତିରୋଧ ଶକ୍ତି କ୍ରମେ ବଢ଼ିଲାଣି- ବୋଧହୁଏ ଜାଣନ୍ତି ?

ଜଗ

-

ମନ୍ତ୍ରବଳ ନ ଥିଲେ ବି, ବୁଦ୍ଧିବଳ ଅଛି । କେଉଁଥିରୁ କ’ଣ ହୁଏ ବା ହେବ ଧାରଣା କରିପାରେ । ଆଚ୍ଛା ଅନ୍ୟ ଦିଗ ସବୁର ଖବର କ’ଣ ?

ସୁଜନ

-

ଦକ୍ଷିଣ ତ୍ରସ୍ତ ନ ହେଲେ ମଧ୍ୟ ବ୍ୟସ୍ତ । ପୂର୍ବ ସ୍ୱ ଶକ୍ତିରେ ବିଶ୍ୱାସୀ, ପଶ୍ଚିମର ଦମ୍ଭ ଭାଙ୍ଗିଯିବା ଉପରେ ।

ଜଗ

-

ଚମତ୍କାର ।

ସୁଜନ

-

ଆଉ କିଛି ପ୍ରଶ୍ନ ?

ଜଗ

-

(ବୋଧହୁଏ ଟିକିଏ ଅନ୍ୟମନସ୍କ ହୋଇପଡ଼ିଥିଲେ) ଏଁ- ଓହୋ- ନା, ଆଉକିଛି ପ୍ରଶ୍ନର ଆବଶ୍ୟକତା ନାହିଁ । ଆସିପାର- ।

 

 

(ସୁଜନ ଯିବାକୁ ଉଦ୍ୟତ ହେବା ସମୟରେ ରତ୍ନଗର୍ଭା ଆସନ ଛାଡ଼ି ଠିଆ ହେବାରୁ, ଅଟକିଗଲେ- ଜଗମୋହନ କହିଲେ)

ଜଗ

-

ତୁମେବି ଯିବ ?

ରତ୍ନ

-

ଦରବାର ତ ଶେଷ ହେଲା ।

ଜଗ

-

ଶେଷହେଲା ? ଏତେ ଶୀଘ୍ର ଧାରଣା କରିପାରିଲ ? (ସୁଜନଆଡ଼େ ଚାହିଁ) ତୁମକୁ କିଛି କହିବାର ନାହିଁ, ତୁମେ ତୁମର ଗତିପଥରେ ଆଗେଇପାର ।

 

 

(ସୁଜନ ଚାଲିଗଲେ । ଜଗମୋହନ ରତ୍ନକୁ କହିଲେ)

 

 

ଜଣେ ଆଭାଷରେ ବୁଝେ-

ରତ୍ନ

-

ଆଉଜଣେ ଦେଖେଇଦେଲେ ଦେଖେନା ବା ବୁଝେଇଦେଲେ ବୁଝନା- ଏଇୟା ତ ?

ଜଗ

-

ପରସ୍ପର ପ୍ରତି ପରସ୍ପରର ସମର୍ଥନ ରହିଚି, ମାତ୍ର ସହଯୋଗ ନାହିଁ- ସାହାଯ୍ୟ ନାହିଁ ।

ରତ୍ନ

-

ସାହାଯ୍ୟ ଅପେକ୍ଷା ସମର୍ଥନର ମୂଲ୍ୟ, ତୁଳନାରେ କ’ଣ କମ୍‌ ?

ଜଗ

-

ବୁଝିଲି, ମୁଁ ଧୃତରାଷ୍ଟ୍ର ଓ ତୁମେ ଗାନ୍ଧାରୀ । ଗାନ୍ଧାରୀ ଧୃତରାଷ୍ଟ୍ରଙ୍କୁ ପ୍ରତି କଥାରେ ସମର୍ଥନ କରୁଥିଲେ ଆଖିରେ ଅନ୍ଧପୁଟୁଳି ବାନ୍ଧି ।

 

 

(ବାହାରୁ କେହି ଆସିବାର ସଙ୍କେତ ଜଣାଇଲା)

 

 

କିଏ ?

 

 

ବାହାରୁ ଆସିପାରେ ?

ଜଗ

-

ରତ୍ନଗର୍ଭା !

 

 

(ରତ୍ନଗର୍ଭା ପ୍ରତି ଇଙ୍ଗିତ କଲେ ସେ ଭିତରକୁ ଚାଲିଗଲେ)

ଜଗ

-

ଆସନ୍ତୁ ।

 

 

(ଭିତରକୁ ଆସିଲେ ଏକ ତରୁଣ । ଦିବ୍ୟ ଚେହେରା, ମାତ୍ର ମୁହଁରେ ଦାମ୍ଭିକତାର ଭାବ ପରିସ୍ଫୁଟ । ପ୍ରବେଶକରି ତରୁଣ ସମ୍ମାନ ଜଣାଇଲେ)

 

 

ଓ ତୁମେ କୁଜନ ।

କୁଜନ

-

ଅସମୟରେ ଆସିଲି ।

ଜଗ

-

ତୁମର ସମୟ ତ ଅସମୟରେ- ଅବେଳରେ ।

କୁଜନ

-

ଠିକ୍‌ । ସମସ୍ତଙ୍କର ବିଶ୍ରାମ ସମୟରେ ମୋର ନାର୍ଯ୍ୟ-

ଜଗ

-

ପ୍ରୟୋଜନ ପୂରଣ ଲାଗି ଅସମୟକୁ ସମୟରେ ପରିଣତ କରିବାକୁ ପଡ଼େ । ତା’ପରେ- ?

କୁଜନ

-

ବର୍ତ୍ତମାନର ସମୟକୁ ସମର୍ଥନ କରି ପରବର୍ତ୍ତୀ ଘଟଣାଗୁଡ଼ିକ ଘଟିବାକୁ ଯାଉଛି ଯଥାଯଥ ଭାବେ । କିନ୍ତୁ-

ଜଗ

-

କୁଜନର କାର୍ଯ୍ୟରେ ‘କିନ୍ତୁ’ ଥାଏ ବୋଲି ତ ଜାଣିନଥିଲି-

କୁଜନ

-

‘କିନ୍ତୁ’ ଥାଏନା- ‘ମାତ୍ର’-

ଜଗ

-

‘କିନ୍ତୁ’ ଓ ‘ମାତ୍ର’ ଭିତରେ ବିଶେଷ ପାର୍ଥକ୍ୟ ନାହିଁ ।

କୁଜନ

-

(ଟିକିଏ ଅପ୍ରତିଭ ହେଲେ) ଏଇ, ଠିକ୍‌ ତା’ ନୁହେଁ- ତେବେ- ମୋ ମତରେ-

ଜଗ

-

ପୁଣି ଗୋଟାଏ ଅବ୍ୟୟକ ବ୍ୟୟ କରି ମତପ୍ରକାଶ କରିବାର ଚେଷ୍ଟା-?

କୁଜନ

-

କହିବାର ଅର୍ଥ, ପୁଞ୍ଜିପାଇଁ, ପୁଞ୍ଜିପତିଙ୍କୁ ତାଙ୍କ ଆସନରୁ ହଟେଇଦେଲେ ଭବିଷ୍ୟତରେ ଅସୁବିଧା ଉପୁଜିବା ସମ୍ଭବ ନୁହେଁ କି-?

ଜଗ

-

ମାନେ ?

କୁଜନ

-

ଅର୍ଥ ସଂଗ୍ରହର ଉପାୟ ଜାଣିଛନ୍ତି ବୋଲି ଆମରି ଭିତରୁ କେତେକେ ହୋଇଛନ୍ତି ପୁଞ୍ଜିପତି । ତାଙ୍କର ସେହି ସଞ୍ଚିତ ପୁଞ୍ଜିକୁ କଳେ ବା କୌଶଳେ ଆମ ଅଧିକାରକୁ ଆଣି ସାମୟିକ ଭାବେ ଆମେ ଆମର ସୁବିଧା କରିନେଉଛୁ-

 

 

(ହଠାତ୍‌ ରହିଗଲେ)

ଜଗ

-

ତା’ପରେ କୁହ ?

କୁଜନ

-

ଯଦି ସେହି ପୁଞ୍ଜିପତିମାନଙ୍କୁ ନିଶ୍ଚିହ୍ନ କରି ଦିଆଯାଏ, ତେବେ- ? ସରଳଭାବେ କହିଲେ, ମହୁମାଛି ଅଛି ବୋଲିତ, ମଧୁ ସଂଗ୍ରହ କରି ଆମେ ମଧୁପାନ କରୁଛୁ- ସେହି ମହୁମାଛି- ବଂଶକୁ ଯଦି ନିର୍ମୁଳ କରି ଦିଆଯାଏ, ତେବେ ମଧୁ ସଞ୍ଚୟ କରିବ କିଏ ?

ଜଗ

-

ତାତ୍ପର୍ଯ୍ୟପୂର୍ଣ୍ଣ ଯୁକ୍ତି । ଖୁବ୍‌ ଚିନ୍ତା କରିଛ ବୋଧହୁଏ ?

କୁଜନ

-

ନା, ଏଇ ମୋର ମନେହେଲା- କହିଲି ।

ଜଗ

-

ଥାଉ, ଏ ଆଲୋଚନା ବନ୍ଦ ଥାଉ । ହଁ, ଆମର ପ୍ରାପ୍ୟ କେତେ ହେଲା-?

କୁଜନ

-

ପଚିଶ ହଜାର ।

ଜଗ

-

ମାତ୍ର ?

କୁଜନ

-

ଆହୁରି କମିଯିବାର ଆଶଙ୍କା ରହିଚି ।

ଜଗ

-

କୁଜନ ଅଛି କାହିଁକି ?

କୁଜନ

-

ଆପଣଙ୍କ ବିଶ୍ୱାସ ମୋର ଶ୍ରେଷ୍ଠ ପ୍ରାପ୍ୟ । ପଚିଶ ହଜାର ଆଣିବି ?

ଜଗ

-

(କୁଜନକୁ ଚାହିଁଲେ, ତାପରେ ମୁହଁ ଫେରାଇନେଇ ହସି ହସି କହିଲେ) ମୁଁ କ’ଣ ଟଙ୍କା ଛୁଏଁ ?

କୁଜନ

-

ଭୁଲ୍ ହେଇଚି ।

ଜଗ

-

ଆଗେ ଭୁଲ୍ କରୁନଥିଲ, ଏବେ ହେବାର କାରଣ ? ଶଙ୍କିତ ବୋଧହୁଏ ?

କୁଜନ

-

ନା, କୁଜନ ଆତଙ୍କିତ ହୁଏନା । ତଥାପି ପରିସ୍ଥିତିର ପରିବର୍ତ୍ତନ ଦ୍ରୁତ ହେବାରୁ ବିସ୍ମିତ-

ଜଗ

-

ଏବଂ ବିଚଳିତ- ହାଃ- ହାଃ- ହାଃ । ଦିନେନା ଦିନେ ନୂଆ କିଛି ଘଟିବ-। ଘଟଣାର ପ୍ରବାହ ପ୍ରତି ଲକ୍ଷ୍ୟରଖି ଚଳିଲେ ବିସ୍ମିତ ହେବାର କାରଣ କିଛି ରହିବ ନାହିଁ ।

କୁଜନ

-

ଆଉ କିଛି ଆଦେଶ ?

ଜଗ

-

ଉତ୍ତରର ଅସ୍ଥିରତା ଆହୁରି ବଢ଼େଇବାର ଚେଷ୍ଟା କର । ଉତ୍ତରକୁ ଜୟକରି ପାରିଲେ ଅନ୍ୟ ଦିଗକୁ କବଳକୁ ଆଣିବା ବେଶି ବେଳ ଲାଗିବ ନାହିଁ ।

କୁଜନ

-

ବୁଝେଁ ।

ଜଗ

-

ଆଉ ଗୋଟିଏ କଥା ମନେ ରଖିଥିବ ନିଶ୍ଚୟ ?

କୁଜନ

-

(ଜଗମୋହନଙ୍କୁ ଚାହିଁଲା)

ଜଗ

-

ଆମେ କେହିନୁହଁ- କିଛି କରୁନାହୁଁ ।

 

 

ଯା ହେଉଚି ତା’ କିପରି ହେଉଚି ତା’ବି ଆମେ ଜାଣୁନା- ଏକାବେଳକେ ନିର୍ଲିପ୍ତ- ନିର୍ଦ୍ଦଳୀୟ । (କହୁ କହୁ ହସିଲେ)

କୁଜନ

-

ମନେଅଛି । ଦଳର ଅନ୍ୟ କେତେକ ବନ୍ଧୁ ଆଗ୍ରହ ପ୍ରକାଶ କରୁଛନ୍ତି ଜାଣିବାକୁ ।

ଜଗ

-

ତାଙ୍କର ସେ ଆଗ୍ରହ ବଢ଼ିବାକୁ ଦିଅନା ।

କୁଜନ

-

ବୁଝିଲି । (ଯିବାକୁ ଉଦ୍ୟତ ହେଲେ)

ଜଗ

-

ଯିବ ? ବେଶ୍‌, ତୁମର ପାରିଶ୍ରମିକ ଠିକ୍‌ ନେଇଯାଉଛ ତ?

କୁଜନ

-

ନେଉଛି ।

ଜଗ

-

ମୁଁ କାହାର ଅସୁବିଧା ଦେଖିପାରେନା ସେଇଥିପାଇଁ ନିର୍ଦ୍ଦେଶ ଦେଇଛି- ପ୍ରତ୍ୟେକଙ୍କର ସୁବିଧା ପ୍ରତି ଦୃଷ୍ଟି ଦେବାକୁ । ହେଉ-

 

 

(କୁଜନ ଯିବାକୁ ଉଦ୍ୟତ ହେଲେ)

 

 

ଶୁଣ-

 

 

(କୁଜନ ଫେରିଲେ)

 

 

ରାଜନୀତିର ଖବର ରଖ ?

କୁଜନ

-

କିଛି ରଖେଁ ।

ଜଗ

-

ଗତି କେଉଁଆଡ଼େ ?

କୁଜନ

-

ଊର୍ଦ୍ଧ୍ୱମୁଖେ ମାନେ ଉପରକୁ ।

ଜଗ

-

(କୁଜନ ମୁହଁକୁ ଖୁବ୍‌ ନିରିଖି ଚାହିଁଲେ) ବୁଝିପାରିଲି ନାହିଁ ।

କୁଜନ

-

ଚନ୍ଦ୍ର ଜୟ କରିବାର ଦୁଃସାହସ- ମନ୍ତ୍ରୀ ହେବାର ଆକାଙ୍‌କ୍ଷା ।

ଜଗ

-

ବଡ଼ ହେବାର ଚେଷ୍ଟା ନିର୍ବୋଧତା ନୁହେଁ ।

କୁଜନ

-

ସମସ୍ତେ କ’ଣ ମନ୍ତ୍ରୀ ହୋଇପାରିବେ-

ଜଗ

-

ଲଟେରୀରେ କ’ଣ ସମସ୍ତଙ୍କ ନାଁ ଉଠେ ? ଛାଡ଼, କେଉଁ ‘ବାଦ’ର ସମ୍ଭାବନା ବେଶି ?

କୁଜନ

-

ନିନ୍ଦାବାଦ ।

ଜଗ

-

ବୁଝିଲି- ତଥାପି ଗୋଟାଏ ବାଦ ବେଶି ସମର୍ଥନ ପାଇବ ଏବଂ ଶାସନ କ୍ଷମତାର ଅଧିକାରୀ ହେବ ।

କୁଜନ

-

ଆପଣ ବୋଧହୁଏ ଜାଣିବାକୁ ଇଚ୍ଛା କରୁଛନ୍ତି ଯେ ଆମର ସମର୍ଥିତ ଦଳ ମନ୍ତ୍ରୀମଣ୍ଡଳ ଗଠନ କରିପାରିବେ କି ନା ?

ଜଗ

-

ଖୁବ୍‌ ଠଉରେଇଛ । ସମର୍ଥିତ ଦଳ ମନ୍ତ୍ରୀମଣ୍ଡଳ ଗଠନ ନ କଲେ ବ୍ୟବସାୟ ବନ୍ଦ କରିଦେବାକୁ ପଡ଼ିବ ।

କୁଜନ

-

ସାର୍‌

ଜଗ

-

(ବିସ୍ମିତ ହୋଇ କୁଜନକୁ ଚାହିଁଲେ) କ’ଣ ?

କୁଜନ

-

ନିଜେ ଗୋଟାଏ ବାଦ୍‌ ସୃଷ୍ଟି କରି ଜନସମର୍ଥନ ଲାଭକଲେ ଦଳର ନେତା ହେବାରେ ବାଧା ରହିବ ନାହିଁ ।

ଜଗ

-

ତୁମର ବିଚକ୍ଷଣତା ଏଇଠି ନଷ୍ଟହେଲା କୁଜନ ।

କୁଜନ

-

ସାର୍‌ (କିଛି ବୁଝିପାରିଲା ନାହିଁ)

ଜଗ

-

ଇଚ୍ଛା କରିଥିଲେ କ’ଣ ମୁଁ-

କୁଜନ

-

ଆସିପାରିଥାନ୍ତେ-

ଜଗ

-

ଇଚ୍ଛା କଲିନାହିଁ-

କୁଜନ

-

ଆସିପାରିବେ ନାହିଁ ବୋଲି ?

ଜଗ

-

ମୋର ଶକ୍ତି ଉପରେ-

କୁଜନ

-

ବିଶ୍ୱାସ ଅଛି- ପୂରାଭାବରେ-

ଜଗ

-

ଦଳ ନ ଗଢ଼ି ଯଦି ସ୍ୱାର୍ଥ ସିଦ୍ଧିରେ ସମର୍ଥ ହୁଏ ତେବେ ?

କୁଜନ

-

ବୁଦ୍ଧିମତାର ପରିଚୟ ହେବ ।

ଜଗ

-

ଆଉ କ’ଣ ଉଦ୍ଦେଶ୍ୟ ଥାଇପାରେ ?

କୁଜନ

-

ପଙ୍କରେ ପାଦ ନ ଦେଇ ମଧ୍ୟ ପଙ୍କଜିନୀ ଲାଭରେ ସମର୍ଥ ହେବେ ।

ଜଗ

-

ଠିକ୍‌ ବୁଝିଚ । ଆଚ୍ଛା ତୁମେ ଆସିପାର- ମୋର ମଧ୍ୟ ଅନ୍ୟକାମ ଅଛି, ଶେଷ କରିନିଏ ।

କୁଜନ

-

ନମସ୍କାର ।

ଜଗ

-

ନମସ୍କାର (କୁଜନ ଚାଲିଗଲେ ଜଗମୋହନ ଭିତରକୁ ଯାଇଥିଲେ ଆସିଲେ ରତ୍ନ)

ରତ୍ନ

-

ଆଉ କେହି ଆସିବାର ଅଛି ?

ଜଗ

-

ଆସିଲେ ଜାଣିବି । ବାହାରକୁ ଯିବ ବୋଧହୁଏ ?

ରତ୍ନ

-

ତୁମର କିଛି ପ୍ରୟୋଜନ ଅଛି ?

ଜଗ

-

ସେଇଟା ସାହାଯ୍ୟ କୁହାଯିବ ନାହିଁକି ? ତୁମେ ତ କେବଳ ମୋତେ ସମର୍ଥନ କର ।

ରତ୍ନ

-

ସାହାଯ୍ୟ କରେ ସମୟ ଓ ସ୍ଥାନ ବିଶେଷରେ । ସମର୍ଥନଟା ପ୍ରାପ୍ୟ ।

ଜଗ

-

ଖୁବ୍‌ ବିଚାର କରି କହିଲ ନା ଏମିତି ?

ରତ୍ନ

-

ନା-

 

 

(ଯିବାକୁ ଆଗେଇଲେ- ଜଗମୋହନ ଭିତରକୁ ଗଲେ । ମଞ୍ଚ ଶୂନ୍ୟ ରହିଲା- ମାତ୍ର ଅଳ୍ପ ସମୟ ପରେ ଆସିଲେ ରତ୍ନ ଓ ଅନ୍ୟଏକ ଝିଅ ନାମ କରାଳୀ । ଦୁହେଁ ଭିତରକୁ ଆସିଲା ପରେ କରାଳୀ କହିଲା)

କରାଳୀ

-

ଏଥର ଯାଇପାରନ୍ତି-

ରତ୍ନ

-

ମାନେ ?

କରାଳୀ

-

ଯାଉଥିଲେ-ଯିବେ-

ରତ୍ନ

-

ଡାକି ‘ଆଣିଲେ କାହିଁକି ?

କରାଳୀ

-

ବସିବାର ସ୍ଥାନ ଦରକାର କରୁଥିଲି ।

ରତ୍ନ

-

ବସିବାର ସ୍ଥାନ ?

କରାଳୀ

-

ହଁ, ବସିବା ମାନେ ରହିବା A rest shed

ରତ୍ନ

-

ଏଇଟା ରେଷ୍ଟ ସେଡ଼୍‌ ନୁହେଁ- ମୋ ଘର ।

କରାଳୀ

-

ଆହୁରି ଭଲ ହେଲା-

ରତ୍ନ

-

ମୁଁ ତ ଆପଣଙ୍କୁ ଚିହ୍ନେନା-

କରାଳୀ

-

ଚିହ୍ନନ୍ତୁ-

ରତ୍ନ

-

ପରିଚୟ ?

କରାଳୀ

-

ଯାହା ଦେଖୁଛନ୍ତି-

ରତ୍ନ

-

ନା- ଜାଣିବାକୁ ଚାହୁଁଚି-

କରାଳୀ

-

କିଛି ଆବଶ୍ୟକ ନାହିଁ-

ରତ୍ନ

-

ଆପଣଙ୍କୁ ପ୍ରଥମଥର ଦେଖୁଛି-

କରାଳୀ

-

ପ୍ରତ୍ୟେକ ପ୍ରତ୍ୟେକଙ୍କୁ ନିଶ୍ଚୟ ପ୍ରଥମଥରପାଇଁ ପ୍ରଥମେ ଦେଖନ୍ତି ।

ରତ୍ନ

-

ଆପଣ କିଏ- କେଉଁଠି ଘର- କାହାର ଝିଅ- ନା କ’ଣ?

କରାଳୀ

-

ସବୁ ଅଦରକାରୀ- ମୋର ପରିଚୟ ନିଶ୍ଚୟ ଦେଖୁଛନ୍ତି- ମହିଳା- ହଁ ନାଁ’ଟା ଅବଶ୍ୟ ଦରକାର । ମୋର ନାଁ’ କରାଳୀ ।

ରତ୍ନ

-

କରାଳୀ ?

କରାଳୀ

-

ମୋ’ପାଇଁ ଆପଣ ବ୍ୟସ୍ତ ନ ହୋଇ ନିଜପାଇଁ ବ୍ୟସ୍ତ ହୁଅନ୍ତୁ- ମୁଁ ଆଶ୍ୱସ୍ତ ହେବି ।

ରତ୍ନ

-

ତୁମ କଥା- ଓ ଆପଣଙ୍କ କଥା-

କରାଳୀ

-

ନା ନା, ତୁମେ ବୋଲି କୁହନ୍ତୁ, ପରିଚୟ ଯେତେବେଳେ ହେଲାଣି-

ରତ୍ନ

-

ଖୁବ୍‌ ଅସୁବିଧାରେ ପକେଇଲ ତ ?

ଜଗ

-

(ଭିତରୁ କହି କହି ଆସିଲେ) କିଏ ରତ୍ନ- ଫେରିଆସିଲ ଯେ ?

 

 

(ଭିତରୁ ଆସି ଦେଖିଲେ କରାଳୀକୁ । ବିସ୍ମିତ ହୋଇ ଚାହିଁଲେ- ପରେ କହିଲେ)

 

 

କିଏ ?

କରାଳୀ

-

କରାଳୀ- ନମସ୍କାର-

ଜଗ

-

ନମସ୍କାର- ଚିହ୍ନିପାରିଲି ନାହିଁ ତ ?

କରାଳୀ

-

କ୍ରମଶଃ ଚିହ୍ନିବେ-

ଜଗ

-

ଅର୍ଥାତ୍‌ ?

କରାଳୀ

-

ଆପଣ ଖୁବ୍‌ ଆଶ୍ଚର୍ଯ୍ୟ ହେଲେ ଦେଖୁଛି ? ଚନ୍ଦ୍ରକୁ ଆମେରିକା ତିନି ତିନିଥର ମଣିଷ ପଠେଇ ଫେରେଇ ଆଣିଲା ରୁଷିଆ ବିଜ୍ଞାନର ଚରମ ଉତ୍କର୍ଷ ଦେଖେଇ ତଳୁ ଚନ୍ଦ୍ରକୁ ମଟର ଗାଡ଼ି ପଠେଇ ସେଠି ଏବେବି ପରିଚାଳିତ କରୁଛି- ଏଥିରେ ଆଶ୍ଚର୍ଯ୍ୟ ହେଲେ ନାହିଁ- ପାକିସ୍ଥାନ ଭାରତର ଗୋଟାଏ ବିମାନ ହରଣଚାଳ କରି ଲାହୋର ନେଇ ସେଠି ପୋଡ଼ିଦେଲା- ରାଗିଲେ ନାହିଁ କି ବିରକ୍ତ ହେଲେନାହିଁ- ଅଥଚ-

ଜଗ

-

ଆପଣଙ୍କ ପରିଚୟ ?

କରାଳୀ

-

ସେଇ ଏକା ପ୍ରକାର ପ୍ରଶ୍ନ- ମୁଁ’ହିଁ ମୋର ପରିଚୟ ।

ଜଗ

-

Don't be silly- ବାଚଳତା ଛାଡ଼ନ୍ତୁ- ଠିକ୍‌ ଉତ୍ତର ଦିଅନ୍ତୁ-

କରାଳୀ

-

ଭୁଲ୍ କହିନି-

ଜଗ

-

ଏଠି କ’ଣ ଦରକାର ?

କରାଳୀ

-

ଅନେକ କିଛି- ବସିଲେ କହିବି- ଓ ଆପଣ ନିଶ୍ଚୟ କିଛି କାର୍ଯ୍ୟବ୍ୟସ୍ତ ଥିଲେ- ଯାନ୍ତୁ- କାମ ଶେଷ କରି ଆସନ୍ତୁ- ମୁଁ ବସିଛି- କିଛି ଅସୁବିଧା ହେବ ନାହିଁ । ବରଂ ଯଦି ସାହାଯ୍ୟ କରିବାରେ ଆପତ୍ତି ନ ଥାଏ ଚାକରକୁ କହି କପେ ଚା’-

ଜଗ

-

(କରାଳୀର ବ୍ୟବହାରରେ କ’ଣ କରିବେ ବୁଝିପାରିଲେ ନାହିଁ । ଜିଜ୍ଞାସୁ ଆଖିରେ ଚାହିଁଲେ ରତ୍ନଗର୍ଭାଆଡ଼େ)

ରତ୍ନ

-

(ଜଗମୋହନ ଚାହିଁବାରୁ ଜାଣିପାରିଲେ)

 

 

ମୋତେ ବାଟରୁ ଫେରାଇଆଣିଲେ, ମନେକଲି କିଛି ଜରୁରି ଦରକାର ଅଛି- କିନ୍ତୁ-

ଜଗ

-

ଦେଖନ୍ତୁ କରାଳୀ ଦେବୀ-

କରାଳୀ

-

ଦେବୀ ନୁହେଁ କରାଳୀ ।

ଜଗ

-

ମୋର ଏଇଟା-

କରାଳୀ

-

ଅଫିସ୍ ଘର ? ମୁଁ ଅଫିସ୍ ପରେ ବିଶ୍ରାମଘର କରି ନେଇପାରିବି ।

ଜଗ

-

ମୁଁ ଏଠି ରହିବାକୁ ଦେବିବୋଲି ଧରିନେଲେ କିପରି ?

କରାଳୀ

-

ଆପଣଙ୍କ ଘରଅଛି- ମୋର ରହିବାର ଆବଶ୍ୟକତା ଅଛି- ସୁତରାଂ-

ଜଗ

-

ସୁତରାଂ ରହିବାକୁ ନିଶ୍ଚୟ ଅନୁମତି ଦେବି ?

କରାଳୀ

-

ଦେଖନ୍ତୁ ବର୍ତ୍ତମାନର ଗତିଟା ଟିକିଏ ଗୋଳମାଳିଆ- କିଏ କ’ଣ କରୁଛି- କ’ଣ କହୁଚି, କାହାର କ’ଣ ଦରକାର ଏସବୁକୁ ଗୁରୁତ୍ୱ ଦେଇ ଆଦୌ କେହି ଭାବୁନାହାନ୍ତି । କେବଳ ନିଜର ନେଇ ସମସ୍ତେ ବ୍ୟସ୍ତ । ପରପାଇଁ- ଠିକ୍‌ ପର ନୁହେଁ- ଆଉଜଣଙ୍କପାଇଁ ଟିକିଏ ଭାବିବା ବା ଚିନ୍ତାକରିବାଟା ଗୋଟାଏ ଅପ୍ରୟୋଜନୀୟ କାମ ବା କଥାବୋଲି ଧରିନେଉଛନ୍ତି ।

ଜଗ

-

ମୁଁ ବେଶି କଥା ଶୁଣିବାରେ ଅଭ୍ୟସ୍ତ ନୁହେଁ-

କରାଳୀ

-

ବାଃ- ଏଇଆତ ମୁଁ ଚାହୁଁଥିଲି- ଇଙ୍ଗିତରେ ବା ଆଭାଷରେ ନ ବୁଝିଲେ ଆଜିର ଦୁନିଆରେ ଚଳିବା ମୁସ୍‍କିଲ ।

ଜଗ

-

ଏସବୁ ବଡ଼ ବଡ଼ କଥା ବନ୍ଦ କରନ୍ତୁ- ଯଦି ଅନ୍ୟକିଛି କାମ ନ ଥାଏ ଯାଇପାରନ୍ତି, ମୋର ଅସୁବିଧା ହେଉଛି ।

କରାଳୀ

-

ତା’ ହେବ । ଜଣକର ସୁବିଧା କରିବାକୁ ଗଲେ ଆଉଜଣକୁ ଅସୁବିଧାରେ ପଡ଼ିବାକୁହିଁ ହେବ ।

ଜଗ

-

ଅନୁଚିତ ।

କରାଳୀ

-

କାହାପକ୍ଷେ ? ଯିଏ ଦେଲା ନା ଯିଏ ନେଲା ?

ଜଗ

-

ଆଃ- ବନ୍ଦକରନ୍ତୁ- ମୁଁ ଅତିଷ୍ଠ ହୋଇପଡ଼ିଲିଣି- ଆପଣଙ୍କର ଚପଳତାର ଆଉ ଅଯଥା ବିଳମ୍ୱ ନ କରି-

କରାଳୀ

-

Just ten or fifteen ଦଶ ପନ୍ଦର ମିନିଟ୍‌ ସମୟ ଦିଅନ୍ତୁ ତାପରେ- (ନିଜର ଭ୍ୟାନିଟି ବ୍ୟାଗ୍ ଓ ଦେହରେ ଥିବା ଚଦର ସବୁ ଥୋଇଲା ଗୋଟାଏ ଟେବୁଲ୍ ଉପରେ- ପାଦରୁ ଯୋତା କାଢ଼ି ଚୌକି ଉପରେ ଭଲହୋଇ ବସିଲା-)

ଜଗ

-

Strange ! ଆଶ୍ଚର୍ଯ୍ୟ !

 

 

(କରାଳୀ ଉଠି ପାଖକୁ ଆସି କହିଲା)

କରାଳୀ

-

କାମ ବାକି ରଖିଲେ ଅନ୍ୟ କିଛି ଚିନ୍ତା କରିବାରେ ବାଧା ଜନ୍ମେ ।

ଜଗ

-

ବେଶ୍, ପନ୍ଦର ମିନିଟ୍‌ ସମୟ ଦେଲି । ରତ୍ନ ତୁମେ ବାହାରକୁ ଯିବନି-?

ରତ୍ନ

-

ନା, ଥାଉ ।

କରାଳୀ

-

ମୋ’ପାଇଁ ବ୍ୟସ୍ତହେଇ କାମ ନଷ୍ଟ କରନ୍ତୁ ନାହିଁ । ଚା’ କପେ- ଯଦି ସୁବିଧା ! ନହୁଏ କ୍ଷତି ନାହିଁ- ପରେ ହେଲେ ଚଳିବ ।

 

 

(ପୁଣିଯାଇ ଚୌକିରେ ବସିଲା)

ଜଗ

-

ଚା’ ପଠେଇ ଦଉଚି ।

 

 

(ଚାଲିଗଲେ ଭିତରକୁ- ରତ୍ନଗର୍ଭା କ’ଣ କହିବେ ବୋଲି କରାଳୀକୁ ଚାହିଁଲେ । ମାତ୍ର କିଛି ନ କହି ଭିତରକୁ ଯିବାର ଉଦ୍ୟମ କଲେ । କରାଳୀ ରତ୍ନର ଭାବ ବୁଝିପାରି କହିଲା)

କରାଳୀ

-

କ’ଣ କିଛି କହିବେ ?

ରତ୍ନ

-

(କରାଳୀ ମୁହଁକୁ ତୀକ୍ଷ୍‌ଣ ଦୃଷ୍ଟିରେ ଚାହିଁଲେ । ପରେ କହିଲେ-) ନା-

 

 

(ଭିତରକୁ ଯାଉଥିଲେ କରାଳୀ ଡାକିଲା)

କରାଳୀ

-

ଶୁଣନ୍ତୁ-

ରତ୍ନ

-

(ଠିଆହୋଇ ଫେରି ଚାହିଁଲେ) ।

କରାଳୀ

-

Bath Room ମାନେ ଗାଧୁଆ ଘରଟା କେଉଁଠି ?

ରତ୍ନ

-

ଭିତରେ ।

କରାଳୀ

-

ଭଲ ହେଇଚି । ଟିକିଏ ଦେଖେଇଦିଅନ୍ତୁ ଆଉ କିଛି କରିବାକୁ ହେବନାହିଁ ।

 

 

(ଟେବୁଲ୍ ପାଖକୁ ଯାଇ ଭେନିଟି ବ୍ୟାଗ୍‌ଟା ଧରି ଫେରିଲା । ଦେଖିଲା ରତ୍ନଗର୍ଭା ଠିଆହୋଇ ଯେପରି କ’ଣ ଭାବୁଚି)

ରତ୍ନ

-

(କରାଳୀର ବ୍ୟବହାରରେ ମୂକ ପାଲଟି ଯାଇଥିଲେ)

କରାଳୀ

-

ଏଇଭଳି ସବୁ ବାଜେକଥା ବା କାମରେ ଡେରିକଲେ, ବଡ଼ କଥା ଓ କାମ ନଷ୍ଟ ହେଇଯାଏ । ଚାଲନ୍ତୁ- ଆଃ- ଡେରି ବରୁଛନ୍ତି କାହିଁକି- ଚାଲନ୍ତୁ-

 

 

(ଏକପ୍ରକାର ରତ୍ନଗର୍ଭକୁ ଜୋର୍‍କରି ଭିତରକୁ ନେଇଗଲା । X X X ଅଳ୍ପସମୟପାଇଁ ମଞ୍ଚ ଶୂନ୍ୟ ରହିଲା । ଆବହ ସଂଗୀତର ପ୍ରବାହ ପରିସ୍ଥିତିକି ଉପଭୋଗ୍ୟ କରି ରଖିଲା ।

 

 

ଅଳ୍ପ ପରେ ପ୍ରବେଶ କଲେ ସୁଜନ । ଚାରିଆଡ଼େ ଲକ୍ଷ୍ୟକରି ଭିତରକୁ ଖବର ଦେବେ କି ନା ଚିନ୍ତା କରୁଥିଲେ । କ’ଣ ଭାବି ସେ ଚୌକି ଉପରେ ଯାଇ ବସିଲେ । ପ୍ରବେଶ କଲା ଚାକର ହରିଆ । ହାତରେ ତାର ଚା’ କପ୍‌ । ସେ ଘରେ ଆଉ କାହାରିକୁ ନ ଦେଖି ଭାବିଲା ବୋଧହୁଏ ୟାଙ୍କରିପାଇଁ ଭିତରୁ ଚା’ ପଠେଇଚନ୍ତି । ଟିକିଏ ଇତସ୍ତତଃ କରି ସେ ଚା’ କପ୍‌ ନେଇ ସୁକନ ପାଖରେ ଥୋଇଦେଲା)

ହରିଆ

-

ଚା’-

ସୁଜନ

-

(ହଠାତ୍‌ ତା’ପାଇଁ ଆସିବାରେ ସେ ବିସ୍ମିତ ହେଇ କହିଲେ) ଚା ?

ହରିଆ

-

ଭିତରୁ ହୁକୁମ ହେଇଚି ।

ସୁଜନ

-

ନୂଆକଥା ?

ହରିଆ

-

ସବୁ ପୁରୁଣା କଥା ଏଣିକି ଏମିତି ବଦଳିଯିବ ।

ସୁଜନ

-

(ଆହୁରି ଜାଣିବାପାଇଁ ପଚାରିଲେ) ବାବୁ ?

ହରିଆ

-

ଭିତରେ, କହିବି ?

ସୁଜନ

-

(କଣ ଭାବି କହିଲେ) ନା, ଥାଉ-

 

 

(ଚା’କପ୍ ନେଇ ଓଠରେ ନଗେଇଲେ । ମାତ୍ର କିଛି ସ୍ୱାଦୁ ବୁଝିନପାରି ଟେବୁଲ୍ ଉପରେ ଥୋଇଦେଲେ)

ହରିଆ

-

ଆଉ ପିଇବେ ନାହିଁ ? ଚିନି କମ୍ ହୋଇଥିବ । ବାବୁ ଚିନି ଖା’ନ୍ତି ନାହିଁ- ନିଜ ହାତରେ ବନେଇଚନ୍ତି ।

ସୁଜନ

-

ନୂଆକଥା ।

ହରିଆ

-

କହୁଥିଲି ପରା କେତେ ଏମିତି ନୂଆ- ନୂଆ କଥା-

ସୁଜନ

-

ଆଚ୍ଛା, ମୁଁ ଟିକିଏ ବାହାରୁ ଆସୁଚି-

 

 

(କହୁ କହୁ ଆସନରୁ ଉଠି ଠିଆହେଲେ)

ହରିଆ

-

କହି ଦେଇଥିବି ।

 

 

ସୁଜନ ଚାଲିଗଲେ । ହରିଆ ତାଙ୍କ ଯିବାବାଟକୁ ଚାହିଁଥିଲା । ଠିକ୍‌ ଫେରିବାବେଳେ ଭିତରୁ ଆସିଚି କରାଳୀ । ବାଥରୁମ୍‌ରୁ ଆସିଚି- ଦେହର ଲୁଗାଟା ଟିକିଏ ଅସଂଯତ । ସେ ଏ ଘରେ କାହାରି ଉପସ୍ଥିତି ସମ୍ୱନ୍ଧରେ ଚିନ୍ତା କରିନଥିଲା । ହଠାତ୍‌ ହରିଆକୁ ଦେଖି ଚମକି ପଡ଼ିଲା)

କରାଳୀ

-

ଏଁ-

ହରିଆ

-

(ଏମିତି ବେଶରେ କରାଳୀକୁ ଦେଖି କିଛି ଭୁଲ୍ କରିଚି ଭାବି ଭୀତ ହେଲା)

କରାଳୀ

-

ନକହି-

ହରିଆ

-

ବାବୁ କହିଲେ-

କରାଳୀ

-

ଲୁଗାଟା ଦେହରେ ନାହିଁ-

ହରିଆ

-

ଦେଖିଲି-

କରାଳୀ

-

ଇଡ଼ିୟଟ୍‌(Ediot)

ହରିଆ

-

ଏଡ଼ୁବାବୁ ନୁହେଁ-ବେବର୍ତ୍ତା ।

କରାଳୀ

-

ମୂର୍ଖ-

 

 

(ବିରକ୍ତିରେ ଭ୍ୟାନିଟି ବ୍ୟାଗ୍‌ଟା ଟେବୁଲ୍‍ ଉପରକୁ ଫୋପାଡ଼ିଦେଲା । ଟେବୁଲ୍‍ ଉପରେ ଚା’ କପେ ଥିଲା, ସେଇଟା ପଡ଼ି କାଳେ ଭାଙ୍ଗିଯିବ ସେଇଥିପାଇଁ ।)

ହରିଆ

-

ହାଁ- ହାଁ- ହରିଆ ହାଁ ହାଁ କହି ତରବରରେ ସେଠିକି ଆସିଲା- କରାଳୀ ମଧ୍ୟ ନିଜର ବ୍ୟାଗ୍‌ତଳେ ପଡ଼ିଯିବ ଭାବି ପାଖକୁ ଆସିଲା । ଦୁହେଁ ଅର୍ଥାତ୍‌ ହରିଆ ଚାକର ଓ କରାଳୀ ବ୍ୟାଗ୍‍ଟା ଧରିବାକୁ ଏକା ଜାଗାରେ ପହଞ୍ଚିଲାବେଳେ ଦୁହିଁଙ୍କର ମଥାର ସଂଘର୍ଷ ଘଟିଲା । ଏମିତି ଅଜାଣତରେ ଘଟଣା ଘଟିଲା ଯେ ଦୁହେଁ ଅପ୍ରତିଭ ହୋଇଉଠିଲେ ।)

ହରିଆ

-

ମା’ଲୋ-

କରାଳୀ

-

ନେଷ୍ଟି (Nasty) (ମଥାରେ ହାତ ବୁଲାଇଲା)

ହରିଆ

-

ନଷ୍ଟିତ ହେଲାଣି-

 

 

(କରାଳୀ ଏଇ ଅବସ୍ଥାରେ କ’ଣ କହିବ ବା କରିବ ଠିକ୍‌ କରିନପାରି ଧପ୍‌କରି ଯାଇଁ ବସିପଡ଼ିଲା ଚଉକି ଉପରେ ତା’ପର ଚା’ କପ୍‌କୁ ଦେଖି ଓ ତା’ରିପାଇଁ ଥୁଆହୋଇଚି ଭାବି ତତ୍‌କ୍ଷଣାତ୍‌ କପ୍‌ଟା ଓଠରେ ଲଗେଇଲା)

କରାଳୀ

-

ଇସ୍‌ ଚିନି କମ୍‌ ପାଣିପରି ଥଣ୍ଡା-

 

 

(କରାଳୀ ଚା’ ପିଇବାକୁ ଆରମ୍ଭ କଲାବେଳେ ହରିଆ ତାକୁ ନାହିଁ କରିବାର ଭାବ ପ୍ରକାଶ କରୁଥିଲେବି ପାଟିଖୋଲି କିଛି କହିପାରିନଥିଲା । ପିଇବା ପରେ ଯେତେବେଳେ କରାଳୀ ‘‘ଚିନି କମ୍‌ ପାଣିପରି ଥଣ୍ଡା’’ କହିଲା- ସେ ଉତ୍ତର ଦେଲା)

ହରିଆ

-

ବାବୁ ବନେଇ ଚନ୍ତି ।

କରାଳୀ

-

ବାବୁ ?

 

 

(ତା’ ମୁହଁରେ କିପରି ସନ୍ଦେହର ଛାଇ ପରିସ୍ଫୁଟ ହେଲା । ସେ ନିଜକୁ ସଂଯତ କରି କହିଲା)

କରାଳୀ

-

ବାବୁ ବନେଇଚନ୍ତି- ତୋର ବାବୁ ? (କହି ପୁଣି ଚା’କପ୍‌ ପିଇଲା) ବାଃ- ବେଶ୍‌ ହେଇଚି । ସବୁବେଳେ ଗରମ୍‌ ଚା’ ଦେହ ପକ୍ଷେ ଅପକାର । (ଟିକିଏ ରହି) ତୋ ନାଁ ?

ହରିଆ

-

ହରିଆ-

କରାଳୀ

-

କେତେଦିନ ଅଛୁ ?

ହରିଆ

-

ତୁମ ଉମରଠୁ ବେଶି ।

କରାଳୀ

-

ଆଉ କିଏ ରହେ ଏଠି ?

ହରିଆ

-

ବାବୁ- ବାବୁଆଣି- ମୁଁ ।

କରାଳୀ

-

ବାବୁଙ୍କ କାମ ?

ହରିଆ

-

ମୋ କାମ ମୁ କରେଁ ।

କରାଳୀ

-

(ଟିକିଏ ଚିନ୍ତାକରି କହିଲା)ଆଚ୍ଛା, ଏଠିକି କିଏସବୁ ଆସନ୍ତି ?

ହରିଆ

-

ଯଉମାନଙ୍କର ଦରକାର ପଡ଼େ ।

କରାଳୀ

-

ଅଫିସ୍ କେତେବେଳେ ହୁଏ ?

ହରିଆ

-

କେହି ଆସିଲେ । ତୁମେ ଆସିଚ ଅଫିସ୍ ହେବ । ବାବୁଙ୍କୁ ଡାକିଦେବି-?

କରାଳୀ

-

ନା, ନା, ମୋର ଦରକାର ନାହିଁ ମୁ ବିଶ୍ରାମ କରିବି-

ହରିଆ

-

ଶୋଇବ ? ଏଇଟା ଶୋଇବା ଘର ନୁହେଁ- ତୁମ ଘରକୁ ଯାଅ । ପଛକୁ ଆସିବ ।

କରାଳୀ

-

ତୁ ଯାଇପାରୁ । ମୋର ବ୍ୟବସ୍ଥା ମୁଁ କରିନେବି ।

ହରିଆ

-

ମୁ ଏ ଘରର ଚାକର- ସବୁ କଥା ଦେଖେଁ

କରାଳୀ

-

ବେଶ୍‌, ଦେଖିବୁ ପନ୍ଦର ମିନିଟ୍‌ ମୋତେ ଯେମିତି କେହି ବିରକ୍ତ ନକରନ୍ତି । ଦୁଆର ଦେଇଦେ- ଯା- ।

ହରିଆ

-

ତୁମକଥା କିଛି-

କରାଳୀ

-

ତୋ ବାବୁ ବୁଝିଚନ୍ତି- ତୋର ବୁଝିବା ଦରକାର ନାହିଁ ।

ହରିଆ

-

ଆଚ୍ଛାକଥା କହୁଚ ।

କରାଳୀ

-

ଯା, ଆଉ ଟିକିଏ ପରେ କପେ ଚା’ ଆଣିଦବୁ ।

ହରିଆ

-

ଓହୋ, ସେ ଚା’କପ୍‌ ତୁମରିପାଇଁ ପଠେଇଥିଲେ ପରା ?

କରାଳୀ

-

କ’ଣ ହେଲା ?

ହରିଆ

-

ମୁଁ ସୁଜନ ବାବୁଙ୍କୁ ଦେଇଦେଲି । ସେ ଓଠରେ ଲଗେଇ ରଖିଦେଲେ ଚିନିକମ୍ ବୋଲି । ତୁମେତ ତାକୁଇ ପିଇ ଖୁସିରେ ଆଜାଡ଼ି ହେଇପଡ଼ିଲ ।

କରାଳୀ

-

ଥୁ- ଥୁ- ଥୁ- ଥୁ- କ’ଣ କହିଲୁ ସେଇ ଚା’ଟା ଆଉ ଜଣେ ଖାଇଥିଲା ? Rabbish ରବିସ୍‌

ହରିଆ

-

ମୋର ଦୋଷ କ’ଣ ?

କରାଳୀ

-

ପାଣି- ପାଣି- Infection (ଇନ୍‌ଫେକ୍‌ସନ୍‌)- ମୁହଁ ଧୋଇବି- ମାରାତ୍ମକ ଜୀବାଣୁ- ପାଣି- ପାଣି- ବାଥ୍‌ରୁମ୍‌ Infection-

 

 

(ହଠାତ୍‌ ଗୋଟାଏ ଅଦ୍ଭୁତ ଭଙ୍ଗୀ କରି ନାଚିକୁଦି ମଞ୍ଚଟାକୁ ଦୋହଲେଇ ଦେଲା ଓ ପରେ ଭିତରକୁ ଚାଲିଗଲା)

ହରିଆ

-

କିଛି ତ’ ବୁଝାପଡ଼ୁ ନାହିଁ ।

 

 

(ବ୍ୟସ୍ତହୋଇ ଏପଟ ସେପଟ ହେବାକୁ ଲାଗିଲା । ଅଳ୍ପପରେ ପ୍ରବେଶ କଲା କରାଳୀ)

କରାଳୀ

-

ମଥା ଭିତରଟାରେ ଲକ୍ଷେ Germ (ଜର୍ରମ୍‌) ଯେମିତି ସାଲୁବାଲୁ ହଉଛନ୍ତି- ଓଃ- ଭୀଷଣ ଦୁର୍ଘଟଣା-

ହରିଆ

-

ବାବୁ ତେଣେ ଭିତର ଖଞ୍ଜାରେ ଅଛନ୍ତି, ଡାକିଦେବି- ଓୌଷଧ ଦେବେ-

କରାଳୀ

-

ନା- ଆ-

 

 

(ଖୁବ୍‌ ଜୋରରେ ପାଟିକରିଉଠିଲା- ହରିଆ ପଡ଼ିଲା)

 

 

କିଛି ମୋର ଦରକାର ନାହିଁ- ତୁ ଯା- ଯା- ମୁ ଶୋଇବି ।

 

 

(ଧପ୍‌କରି ବସିପଡ଼ିଲା ସୋଫା ଉପରେ । ହରିଆ ଚା’ କପ୍‌ଟା ନେଇ ଭିତରକୁ ଚାଲିଗଲା । କରାଳୀ ଦେହରେ ଗୋଟାଏ ଚଦର ଢାଙ୍କି ଲମ୍ୱହୋଇ ଶୋଇଲା ସେଇ ସୋଫା ଉପରେ ।) X X ମଞ୍ଚ ନୀରବ-। ମୃଦୁ ଆବହ ସଂଗୀତ ପରିସ୍ଥିତିକୁ ରହସ୍ୟମୟ କରି ରଖିଲା । X X ଅଳ୍ପପରେ ଶୁଣାଗଲା, ନାକ ଘଡ଼ ଘଡ଼ ଶବ୍ଦ । ପ୍ରବେଶ କଲେ ଜଗମୋହନ ଓ ରତ୍ନଗର୍ଭା)

ରତ୍ନ

-

(କରାଳୀକୁ ସେ ଅବସ୍ଥାରେ ଦେଖି)

 

 

ଶୋଇଚି କ’ଣ କରିବ ?

ଜଗ

-

କ’ଣ କରିବି ?

ରତ୍ନ

-

ଉଠେଇ ବିଦା କରିଦିଅ ।

ଜଗ

-

ଯିଏ ଜବରଦସ୍ତି ଆସେ- ସିଏ ସହଜରେ ଯାଏନା । ତୁମର ଭୁଲ୍ ।

ରତ୍ନ

-

ମୁଁ କ’ଣ ଜାଣିଥିଲି ସେ ଏମିତି ଜବରଦସ୍ତି ରହିବ ବୋଲି ?

ଜଗ

-

ରହୁ, କ୍ଷତି ନାହିଁ-ତେବେ-

ରତ୍ନ

-

କୁଜନ ଆସୁ- ତଡ଼ିଦେବ । ସେ ଏସବୁ କାମକୁ ଭଲ ପାରେ-

ଜଗ

-

ସନ୍ଧ୍ୟା ହେଲା ଆସି- ଅନେକେ ଆସିବେ, ଖୁବ୍ ଅସୁବିଧା ହବ ।

ରତ୍ନ

-

ଭିତରକୁ ଡାକିନେବି ?

ଜଗ

-

ବାହାରକୁ ଆଦରିନେବାରେ ଯିଏ କୁଣ୍ଠାବୋଧ କରୁନି, ଭିତରକୁ ଗଲେ ସେ କ’ଣ ଆଉ ଫେରିବ ?

ରତ୍ନ

-

ଜଞ୍ଜାଳ । ଉଠେଇବି ?

ଜଗ

-

କ’ଣ ଉଠିବ ?

ରତ୍ନ

-

ଏ’ଠି ଶୋଇବ କାହିଁକି- ଆଉ କଉଠିକି ଯିବାର ଯାଉ ।

ଜଗ

-

ମନେହୁଏନା ଯିବ ବୋଲି

ରତ୍ନ

-

(ଇତସ୍ତତଃ କରିବାକୁ ଲାଗିଲେ)ଓଃ- ଜଞ୍ଜାଳ ।

ଜଗ

-

ତୁମେ ଯଦି ବାହାରକୁ ଯିବାର ଇଚ୍ଛାକର, ଯାଇପାର ।

ରତ୍ନ

-

ଏଇଟାକୁ ରଖି ?

ଜଗ

-

ଭୟ କରୁଛ ?

 

 

(ଇଙ୍ଗିତ ବୁଝିପାରି ସ୍ମିତ ହସିଲେ)

ରତ୍ନ

-

ନିର୍ଭୟବି ନୁହେଁ ।

 

 

(କଣେଇ ଚାହିଁଲେ ଥରେ ଜଗମୋହନକୁ ଓ ଥରେ କରାଳୀକୁ । ଏତିକିବେଳେ ଭିତରୁ ହରିଆ ଆସିଲା, କ’ଣ ଗୋଟାଏ ହାତରେ ଧରି-।)

ହରିଆ

-

ବାବୁ !

ଜଗ

-

କ’ଣ ?

ହରିଆ

-

ଏଇଟା କାହାର ?

ଜଗ

-

ଦେଖେଁ-

 

 

(ହାତ ବଢ଼େଇଲେ । ହରିଆ ଗୋଟାଏ ସୁନାର କ୍ରସ୍‌ ଦେଲା । ଜଗମୋହନ ସେଇଟା ଦେଖି ଯେମିତି ବିସ୍ମିତ ହେଲେ ।) । ଏଇଟା କୋଉଠୁ ଆସିଲା ?

ରତ୍ନ

-

କ’ଣ ସେଇଟା ?

ଜଗ

-

ଗୋଟାଏ ସୁନାର କ୍ରସ୍‌ । ଖ୍ରୀଷ୍ଟିୟାନମାନେ ପିନ୍ଧନ୍ତି ।

ରତ୍ନ

-

ଖ୍ରୀଷ୍ଟିୟାନମାନେ ପିନ୍ଧନ୍ତି ? ଏଠିକି କୁଆଡ଼େ ଆସିଲା ?

ଜଗ

-

ଠିକ୍‌ ବୁଝିପାରୁନି-

 

 

(ମନରେ ଯେପରି କିଛି ସନ୍ଦେହରଖି କରାଳୀଆଡ଼େ ଚାହିଁଲେ । ରତ୍ନ ସେ ଭାବ ଲକ୍ଷ୍ୟ କଲେ)

ରତ୍ନ

-

ତେବେ କ’ଣ- ?

 

 

(କରାଳୀଆଡ଼େ ଚାହିଁଲେ- ମନରେ ପ୍ରଫୁଲ୍ଲତା ନ ଥିଲା)

 

 

ଭଲଲାଗୁନି । ଏ, ହରିଆ ଘରେଥିବୁ- କୁଆଡ଼େ ଯିବୁନି ।

 

 

(ପୁଣି ବିରକ୍ତିର ଭଙ୍ଗୀରେ ଚାହିଁଲେ କରାଳୀଆଡ଼େ ତା’ପରେ ଫେରି ଚାହିଁଲେ ଜଗମୋହନକୁ । ଜଗମୋହନ ରତ୍ନର ସେ ଭାବ ଲକ୍ଷ୍ୟକରି କହିଲେ)

ଜଗ

-

ହରିଆ ରହିବ- ଭୟ କରନା ।

 

 

(ରତ୍ନଗର୍ଭା ଚାଲିଗଲେ)

 

 

ହରିଆ ! କୋଉଠି ପଡ଼ିଥିଲା ?

ହରିଆ

-

ଗାଧୁଆ ଘରେ ।

 

 

(କ୍ରସ୍‌ଟାକୁ ଏପଟ ସେପଟ ଓଲଟେଇ ଦେଖୁଥିଲେ ଏବଂ କରାଳୀକୁ ସତୀକ୍ଷ୍ଣ ନୟନରେ ଚାହୁଁଥିଲେ)

 

 

ଆଶ୍ଚର୍ଯ୍ୟ ଠିକ୍‌ ସେହିପରି ।

ହରିଆ

-

ଆଚାର୍ଯ୍ୟ ବାବୁ ଆଜି ଆସିନାହାନ୍ତି ।

 

 

(ଟିକିଏ ଜୋରରେ କହିବାରୁ ଜଗମୋହନ ହରିଆକୁ ଇଙ୍ଗିତରେ ତୁନି ତୁନି କହିବାକୁ କହିଲେ । ଯଦି କରାଳୀର ନିଦ ଭାଜିଯାଏ)

ଜଗ

-

ଯା’ ଭିତରକୁ- ଶୋଇଚନ୍ତି ।

ହରିଆ

-

ଶୋଇଚନ୍ତି ନା ଛଟା ଗାଳୁଚନ୍ତି ।

ଜଗ

-

(ଶାସନ ଭଙ୍ଗୀରେ) ଆ- ଚାଲି

 

 

(ଦୁହେଁ ଭିତରକୁ ଗଲେ । ସେମାନେ ଯିବାପରେ କରାଳୀ ନିଦରୁ ଉଠିଲା । ଏଣିକି ତେଣିକି ଚାହିଁ ନିଜର ବ୍ୟାଗ୍‌ ଭିତରୁ ବାହାରକଲା ଗୋଟିଏ ଛୋଟ ଡାଏରି । ତା’ର ପୃଷ୍ଠା ଓଲଟାଇ ଗୋଟାଏ ପୃଷ୍ଠା ଖୁବ୍‌ ମନଯୋଗ ଦେଇ ପଢ଼ିଲା । ପଢ଼ିଲାବେଳେ ଥରକୁଥର ଭିତରକୁ ଚାହୁଁଥାଏ । ପଢ଼ିସାରି ଡାଏରିଟି ପୁଣି ରଖିଦେଲା ବ୍ୟାଗ୍‌ ଭିତରେ । ତା ମୁହଁରେ ଫୁଟିଉଠିଲା ଗୋଟାଏ ସଫଳର ଆନନ୍ଦ- ଛାପ । ଟିକିଏ ରହି ଡାକିଲା)

କରାଳୀ

-

ହରିଆ-

 

 

(ପ୍ରଥମେ ଆସ୍ତେ ଡାକିଲା କେହି ନଶୁଣିବାରୁ ଜୋରରେ ଡାକିଲା)

 

 

ହରିଆ

ହରିଆ

-

ଯାଉଚି (କହୁ କହୁ ପ୍ରକାଶ କଲା)

କରାଳୀ

-

ପାଖକୁ ଆ ।

 

 

(ହରିଆ ଟିକିଏ ସଙ୍କୁଚିତ ଭାବେ କରାଳୀ ନିକଟକୁ ଆସିଲା)

କରାଳୀ

-

ଦେଖିଲୁ-

ହରିଆ

-

(କିଛି ବୁଝିନପାରି ଅନେଇଲା)

କରାଳୀ

-

ଦେଖ୍‌

 

 

(କହି ଦେହର ନାନାପ୍ରକାର ଭଙ୍ଗୀକଲା ଅଳସ ଭାଙ୍ଗିଲା ଭଳି)

ହରିଆ

-

(ଆହୁରି ସଙ୍କୁଚିତ ହେଲା- କ’ଣ କରିବ ଭାବି)

କରାଳୀ

-

ଆରେ, ଭଲକରି ଦେଖ, ମୁଁ ସେମିତି ଅଛିତ ?

ହରିଆ

-

(କଥାର ଅର୍ଥ ବୁଝିପାରିଲା ନାହିଁ । ବଲ ବଲ କରି କରାଳୀକୁ ଚାହିଁଲା)

କରାଳୀ

-

ଆରେ, ଶୋଇବାଆଗରୁ ଯେମିତି ଥିଲି, ମାନେ ଏ ଘରକୁ ଆସିଲାବେଳେ ଯେମିତି ଥିଲି- ଠିକ୍‌ ସେମିତି ଅଛିକି ?

ହରିଆ

-

ବୁଝିପାରୁନି ।

କରାଳୀ

-

ଶୋଇବା ଆଗରୁ ଚା’ ସାଥିରେଗୁଡ଼ାଏ ସଂକ୍ରାମକ ବୀଜାଣୁ ଖାଇଦେଇଥିଲି- ସେଗୁଡ଼ାକ ମୋର ରକ୍ତ ଶୋଷି ଦେଲେଣି ବୋଲି ବିଶ୍ୱାସ ।

ହରିଆ

-

କାହିଁ କିଛି’ତ ଜଣାପଡ଼ୁନି ।

କରାଳୀ

-

ଜଣାପଡ଼ୁନି ? ତା’ହେଲେ କିଛିହେଇନି । ଯା, ଗରମ ଚା’ ନେଇଆ । ଆଉ ବାଥରୁମ୍‌ରେ ପାରି, ସାବୁନ୍‌ ଥୋଇଦେ । ମୁଁ ସନ୍ଧ୍ୟାବେଳକୁ ରେଡ଼ି (Ready) ହେବି ।

ହରିଆ

-

କ’ଣ ହବ ?

କରାଳୀ

-

ପ୍ରସ୍ତୁତ ହେବି । କେହି ଯଦି ଆସିଯିବେ । ଯା ଡେରି ହଉଚି ।

 

 

(ହରିଆ କିଛି ନ କହି ଚାଲିଗଲା ମନେ ମନେ ବିରକ୍ତ ହେଇ । ଠିକ୍‌ ପରେ ପରେ ପ୍ରବେଶ କଲେ ସୁଜନ । କରାଳୀକୁ ଦେଖି, ଜଗମୋହନଙ୍କ କେହି ଅତିପରିଚିତ ବା ଆତ୍ମୀୟା ଦେଖା କରିବାକୁ ଆସିଛନ୍ତି ଭାବି ରହିବ କି ଯିବେ ଠିକ୍‌ କରିପାରିଲେ ନାହିଁ- ମାତ୍ର ଭଦ୍ରତା ରକ୍ଷାକରିବା ଉଦ୍ଦେଶ୍ୟରେ କହିଲେ)

ସୁଜନ

-

ନମସ୍କାର ।

କରାଳୀ

-

ନମସ୍କାର । ଆପଣ ?

ସୁଜନ

-

ଏଠି କାମ କରେ ।

କରାଳୀ

-

ନାମ ?

ସୁଜନ

-

ସୁଜନ ଚୌଧୁରୀ ।

କରାଳୀ

-

ସୁଜନ ? ସୁଜନ- କିଏ ଯେମିତି ନା’ଟା କହୁଥିଲା । ଓ ହଁ ମନେପଡ଼ିଚି-

ସୁଜନ

-

କ’ଣ ?

ବରାଳୀ

-

ଆପଣ ଟିକିଏ ଆଗରୁ ଆସିଥିଲେ ?

ସୁଜନ

-

ଆସିଥିଲି ।

ବରାଳୀ

-

ଚା’ ଖାଇଥିଲେ ?

ସୁଜନ

-

ଖାଇଥିଲି ।

ବରାଳୀ

-

ପାଟିରେ ଲଗେଇ ରଖିଦେଇଥିଲେ କାହିଁକି ?

ସୁଜନ

-

କ’ଣ ସବୁ ପଚାରୁଛନ୍ତି- ବୁଝିପାରୁନି ।

କରାଳୀ

-

ସେ ଚା’ ଆସିଥିଲା ମୋ’ପାଇଁ ।

ସୁଜନ

-

ହରିଆ ମୋତେ ଦେଲା ।

କରାଳୀ

-

ମୋର ମନେକରି ମୁଁ ପିଇଦେଲି । ଆପଣଙ୍କ ଦେହର ଇନଫେକ୍‌ସନ (Infection)-

ସୁଜନ

-

ମୁଁ ରୋଗୀ ନୁହେଁ ।

କରାଳୀ

-

ତେବେବି-

 

 

(ଆଉକଣ କହିବାକୁ ଯାଉଥିଲା ମାତ୍ର ହରିଆ ଆସି ପହଞ୍ଚି କହିଲା-)

ହରିଆ

-

ପାଣି ଦେଇଛି ।

କରାଳୀ

-

(ସୁଜନକୁ) ରହିବେ ନା ଯିବେ ?

ସୁଜନ

-

ରହିବି ।

କରାଳୀ

-

ଆସିଲେ ବୁଝେଇଦେବି ।

 

 

(ବାଥ୍‍ରୁମକୁ ଚାଲିଗଲା । ହରିଆ ମଧ୍ୟ ପଛେ ପଛେ ଗଲା । ଆସିଲେ ଜଗମୋହନ ।)

ଜଗ

-

ସୁଜନ ! ସଂବାଦ କ’ଣ ?

ସୁଜନ

-

ଦୁଃସମ୍ୱାଦ ।

ଜଗ

-

ଅର୍ଥ ?

ସୁଜନ

-

ଜଣେ ଅବାଞ୍ଛିତ ଅତିଥି ଘରେ ।

ଜଗ

-

ଆଶ୍ୱାସନା, ସେ ନାରୀ ।

ସୁଜନ

-

ନର ଅପେକ୍ଷା ନାରୀ ବିପଜ୍ଜନକ ।

ଜଗ

-

ହେଇପାରେ, ମାତ୍ର ମୋର ସୁରକ୍ଷା-

ସୁଜନ

-

କଙ୍କ୍ରିଟ୍ ବନ୍ଧରେ ବି ଛିଦ୍ର ରହିଯାଏ ।

ଜଗ

-

ମୋର ବ୍ୟବସ୍ଥା ତୁମର ଧାରଣର-

ସୁଜନ

-

ଅତ୍ୟଧିକ ଆତ୍ମପ୍ରତ୍ୟୟ ସର୍ବନାଶ ଡାକିଆଣେ ।

ଜଗ

-

ସୁଜନ ! (ସୁର ଟିକିଏ ରୁକ୍ଷ)

ସୁଜନ

-

ମୁଁ ହିତାକାଂକ୍ଷୀ- ଅପ୍ରିୟ ସତ୍ୟ କହେ ।

ଜଗ

-

ତୁମର ସାହଚର୍ଯ୍ୟ ମୁଁ ଆବଶ୍ୟକ ନ କରିପାରେ ।

 

 

(ସୁଜନକୁ ଟିକିଏ ଶାସନ କଲାଭଳି କଣ୍ଠରେ କହିଲେ)

ସୁଜନ

-

ମୁନିବଙ୍କୁ ସତର୍କ କରିଦେବା ଛଡ଼ା ଅନ୍ୟ ଉଦ୍ଦେଶ୍ୟ ମୋର ନାହିଁ ।

Unknown

କୁଜନ

-

ତା’ବୋଲି ମୁନିବଙ୍କ ମୁହଁ ଉପରେ ଉତ୍ତର ? ନା, ସାର୍‌ ମୋତେ ଏଇଟା ପସନ୍ଦ ହେଲା ନାହିଁ ।

ଜଗ

-

ମୋର ଆଶ୍ରୟର ପ୍ରତିଦାନ ?

 

 

(ସୁଜନକୁ ହିଁ କହିଲେ)

ସୁଜନ

-

ପ୍ରଶ୍ରୟ ମୁଁ ନିଏନା

ଜଗ

-

ବେଶ୍‌, କିଛି ପରେ ସବୁ ସମାଧାନ କରିଦେବି । କୁଜନ ମୋ ସହିତ ବାହାରକୁ ଚାଲ, ଖୁବ୍ ପ୍ରୟୋଜନୀୟ ।

କୁଜନ

-

ପ୍ରସ୍ତୁତ ।

ଜଗ

-

ସମୟ ଅଳ୍ପ- କାମ ଜରୁରି ଏବଂ କଠିଣ ।

କୁଜନ

-

ଆପଣଙ୍କପାଇଁ ମୁଁ ସବୁ କରିପାରେ ।

ଜଗ

-

ଆସ, ତୁମକୁ କହିବାର ଅଛି- ଗୋପନୀୟ ।

 

 

(ସୁଜନକୁ ପାଖକୁ ଡାକି ତା’ର କାନରେ କ’ଣ କହିଲେ, ସେ ଶୁଣି ବିସ୍ମିତ ହେଲା)

 

 

ବୁଝିଲ’ତ ? ଚାଲ- (ଆଗେଇଲେ)

ସୁଜନ

-

ମୁଁ ?

ଜଗ

-

ବିଶ୍ରାମ କରିପାର ।

 

 

(କହୁ କହୁ କୁଜନ ସାଥିରେ ଚାଲିଗଲେ । ସୁଜନ ରହିବେ କି ଯିବେ ଠିକ୍‌ କରିପାରୁନଥିଲେ । ଏତିକିବେଳେ ଭିତରୁ ଆସିଲା କରାଳୀ)

କରାଳୀ

-

ଏଇତ, ଯାଇନାହାନ୍ତି ଦେଖୁଚି ।

ସୁଜନ

-

ରହିବାକୁ କହିଥିଲେ-

କରାଳୀ

-

କଥା ମାନନ୍ତି ଦେଖୁଚି ।

ସୁଜନ

-

ନ ମାନିଲେ ଅନ୍ୟକୁ ମନେଇନେଇ ହୁଏନା ।

କରାଳୀ

-

କଥା ଚମତ୍କାର- କ’ଣ କରନ୍ତି ?

ସୁଜନ

-

କୁ- କର୍ମର ପ୍ରତିରୋଧ କରେଁ ।

କରାଳୀ

-

ମୁନିବଙ୍କ ନାଁ କ’ଣ ?

ସୁଜନ

-

ଆପଣ ଜାଣନ୍ତି ନାହିଁ ?

କରାଳୀ

-

ଏଇତ ଅଳ୍ପ ସମୟ ହେଲା ଆସିଚି ।

ସୁଜନ

-

ଆତ୍ମୀୟ ନୁହଁନ୍ତି ?

କରାଳୀ

-

ପରିଚିତା ବି ନୁହେଁ ।

ସୁଜନ

-

ଉଦ୍ଦେଶ୍ୟ ?

କରାଳୀ

-

ସତ୍‌ ନ ହେଲେ ବି ଅସତ୍‌ ନୁହେଁ । କୁହନ୍ତୁ ନାଁ କ’ଣ ?

ସୁଜନ

-

ଶ୍ରୀ-

କରାଳୀ

-

ଶ୍ରୀ’ଟା ଅନାବଶ୍ୟକ-

ସୁଜନ

-

ଜଗମୋହନ ଚମ୍ପତି ରାୟ ।

କରାଳୀ

-

କ’ଣ କହିଲେ ? (ବିସ୍ମିତ ଭାବେ)

ସୁଜନ

-

ଜଗମୋହନ ଚମ୍ପତି ରାୟ ।

କରାଳୀ

-

ଘର ?

ସୁଜନ

-

ଏଇଟା ନିଜଘର ।

କରାଳୀ

-

ଆଉ କୋଉଠି ?

ସୁଜନ

-

କେଶରପୁର ଗ୍ରାମ, ଜନ୍ମସ୍ଥାନ ।

କରାଳୀ

-

ଠିକ୍‌ (ବିସ୍ମୟ ଆହୁରି ବଢ଼ିଯାଇଚି)

ସୁଜନ

-

ଚିହ୍ନନ୍ତି ?

କରାଳୀ

-

କଲିକତାରେ ବହୁଦିନ-

ସୁଜନ

-

ମିଲ୍‍ର ପରିଚାଳକ ଥିଲେ ।

କରାଳୀ

-

ଗୋଲମାଲ ଆରମ୍ଭ ହେବାରୁ-

ସୁଜନ

-

ମିଲ୍‍ଛାଡ଼ି ଏଠାକୁ ଆସିଛନ୍ତି ।

କରାଳୀ

-

ପ୍ରାୟ-

ସୁଜନ

-

ଦଶବର୍ଷ ହେବ ।

 

 

(କରାଳୀର ମୁହଁରେ ଫୁଟିଉଠିଲା ବିସ୍ମୟ ସଙ୍ଗେ ସଙ୍ଗେ ଘୃଣାର ଭାବ । ସେ ଟିକିଏ ଚଞ୍ଚଳ ହେଇଉଠିଲା ଅଳ୍ପ ରହି କହିଲା)

କରାଳୀ

-

ଆପଣ ଜାଣନ୍ତି ?

ସୁଜନ

-

କ’ଣ ?

କରାଳୀ

-

ଆତ୍ମଗୋପନର ଉପାୟ ?

ସୁଜନ

-

ମୁଁ ସରଳ କଥା ବୁଝେ ।

କରାଳୀ

-

ଆପଣ ସବୁ ଜାଣନ୍ତି- ସବୁ ବୁଝନ୍ତି ।

 

 

(କରାଳୀର ଚଞ୍ଚଳତା ଆହୁରି ବଢ଼ିଉଠିଚି । ଟିକିଏ ଅସଂଯତ ହେଲାପରି ମନେହେଉଥିଲା)

ସୁଜନ

-

ଆପଣଙ୍କ ମନରେ ଦ୍ୱନ୍ଦ୍ୱ-

କରାଳୀ

-

ଦ୍ୱନ୍ଦ୍ୱ ନୁହେଁ- ଆଲୋଡ଼ନ । ମଥାରେ ଦାବାନଳ- ବୁକୁରେ ଅସହ୍ୟ ଯନ୍ତ୍ରଣା । ଦେଖିବେ ? ବୁକୁରେ ହାତଦେଇ ଦେଖନ୍ତୁ-

 

 

(କହୁ କହୁ ସୁଜନର ହାତଧରି ବୁକୁ ପାଖକୁ ନେଲା- ସୁଜନ ହାତ ଛଡ଼େଇ ନେଲେ)

ସୁଜନ

-

ଆପଣ ସ୍ତ୍ରୀ- ନାରୀର ଶ୍ଳୀଳତା ।

କରାଳୀ

-

ମୁଁ ମୋର ନାରୀତ୍ୱକୁ ଅସ୍ୱୀକାର କରୁଚି- ପୁରୁଷର ଅଧିକାରକୁ ତୁଚ୍ଛ କରୁଚି ।

ସୁଜନ

-

ଏତେଟା ଉତ୍ତେଜିତର କାରଣ ?

କରାଳୀ

-

ଆପଣ ସରଳ- ଆପଣ ଶାନ୍ତିପ୍ରିୟ- ଆପଣଙ୍କୁ ଦୂରେଇଯିବାକୁ ପଡ଼ିବ-। ନଚେତ-

ସୁଜନ

-

କ’ଣ କହୁଚନ୍ତି ?

କରାଳୀ

-

କିଛି ସମୟପାଇଁ ବନ୍ଦୀହୋଇ ରହିବାକୁ ପଡ଼ିବ- ମୂକ ହୋଇ ।

ସୁଜନ

-

ମାନେ ?

କରାଳୀ

-

ଶପଥ କରନ୍ତୁ ।

ସୁଜନ

-

ବୁଝିପାରୁନି-

 

 

(କରାଳୀ ହଠାତ୍‌ ନିଜକୁ ସଂଯତ କରିବାର ଚେଷ୍ଟା କରିଚି ସେହି ଭାବରେ କହିଚି)

କରାଳୀ

-

ମୁ ଆପଣଙ୍କ କନ୍ୟା ତୁଲ୍ୟା-

ସୁଜନ

-

କୁହନ୍ତୁ ?

କରାଳୀ

-

ନିଜ ଝିଅର ମଙ୍ଗଳପାଇଁ ଟିକିଏ ଉଦାରତା ଦେଖେଇ ପାରିବେନି ?

ସୁଜନ

-

ଅସୁବିଧାରେ ପକେଇଲେ ।

କରାଳୀ

-

ଏମାନେ ବାହାରୁ ଫେରିବାଯାଏଁ- ପାଖ ଘରେ ରହିବେ ନୀରବ ଶ୍ରୋତା ହୋଇ ।

ସୁଜନ

-

ଏଇଟା-

କରାଳୀ

-

ଅସତ୍ୟପାଇଁ ସତ୍ୟକୁ ଅବହେଳା କରିବା ଅନ୍ୟାୟ, ମାତ୍ର ସତ୍ୟପାଇଁ ସତ୍ୟର ବ୍ୟତିକ୍ରମ ଅନ୍ୟାୟ ନୁହେଁ ନିଶ୍ଚୟ ।

ସୁଜନ

-

ଯୁକ୍ତି ନିକଟରେ-

କରାଳୀ

-

ନା, ପରାଜିତ ନୁହନ୍ତି- ଆବଦ୍ଧ । ବୋଧହୁଏ ହରିଆ ଆସୁଚି- ଆପଣ-

 

 

(ସୁଜନକୁ ପାଖ ଘରକୁ ଯିବାକୁ କହିଲା । ସୁଜନ ଇତସ୍ତତ କରୁଥିଲେ, ମାତ୍ର କରାଳୀର ଅନୁରୋଧ ଏଡ଼ିପାରିଲେ ନାହିଁ । ଯିବା ପରେ ଆସିଚି ହରିଆ- ହାତରେ ଭ୍ୟାନିଟି ବ୍ୟାଗ୍‌)

ହରିଆ

-

ଏଇଟା-

କରାଳୀ

-

ମନେ ନ ଥିଲା- ଥୋଇଦେ ।

ହରିଆ

-

ଏମିତି ପକେଇଦଉଚ-

କରାଳୀ

-

କ’ଣ, କିଛି ପଡ଼ି ଯାଇଥିଲା ?

ହରିଆ

-

ଗୋଟାଏ ସୁନାର ଚିଜ୍ ।

କରାଳୀ

-

କ’ଣ କଲୁ ?

ହରିଆ

-

(ତୁନିହେଇ ରହିଲା)

କରାଳୀ

-

ରଖିଚୁ ?

ହରିଆ

-

ହାତ୍‌, ବାବୁଙ୍କୁ ଦେଇଚି

କରାଳୀ

-

କ’ଣ କହିଲେ ?

ହରିଆ

-

ଦେଖି ଚମକିପଡ଼ିଲେ ।

 

 

(ମୁହଁରେ ସନ୍ଦେହର ଛାୟା ଖେଳିଗଲାପରି ମନେହେଲା)

କରାଳୀ

-

ଚମକିପଡ଼ିଲେ ?

ହରିଆ

-

ପଡ଼ିବେ ନାହିଁ ? ସୁନା ଚିଜ୍‍ଟା ପକେଇଦଉଚ । ବେଶି ଅଛି ବୋଲି ସିନା-

କରାଳୀ

-

ତୁ ଖୁବ୍‌ ଭଲ ଲୋକ ।

ହରିଆ

-

(ପ୍ରଶଂସା ଶୁଣି ଖୁସିହେଲା) ଚା’ ପିଇବ ?

କରାଳୀ

-

ନା, ପରେ (ପୁଣି କ’ଣ ଚିନ୍ତାକରି କହିଲା) ଆଚ୍ଛା, ହରିଆ ଟିକିଏ ବଜାର ଯାଇପାରିବୁ ?

ହରିଆ

-

କାହିଁକି ?

କରାଳୀ

-

ବିସ୍କୁଟ୍‌ ଆଣିବୁ ।

ହରିଆ

-

ଘରେ ଅଛି ।

କରାଳୀ

-

ସେ ବିସ୍କୁଟ୍ ନୁହେଁ । ମୁ ଯା ଖାଏ ଲେଖିଦଉଚି । ଏଇ ନେ ପାଞ୍ଚଟଙ୍କା-। ବିସ୍କୁଟ୍‌ ଦି’ଟଙ୍କା କି କ’ଣ ପଡ଼ିବ । ବାକିଟା ତୋର ।

 

 

(ଗୋଟାଏ କାଗଜରେ କ’ଣ ଲଖିଦେଲା, ଟଙ୍କା ସହିତ ।)

ହରିଆ

-

ନାଇଁ, ଏତେ ଗୁରାଏ-

କରାଳୀ

-

ଖୁସିରେ ଦଉଚି । ତୁ ଖୁବ୍‌ ଭଲଲୋକ । ଆସିଲେ ଚା’ ପିଇବି- ତୋ’ରି ହାତ ତିଆରି । ଯା, ଡେରି କରନା-

 

 

(ଏକ ପ୍ରକାର ଜୋର କରି ପଠେଇଦେଲା । ହରିଆ ଗଲାପରେ ସୁଜନକୁ ଡାକିଆଣିଲା)

 

 

କଷ୍ଟ ଦଉଚି-

ସୁଜନ

-

କି ରହସ୍ୟ ବୁଝିପାରୁନି ।

କରାଳୀ

-

ଜୀବନରେ ନିଶ୍ଚୟ ବହୁ ପ୍ରକାର ଲୋକ ଦେଖିଛନ୍ତି ?

ସୁଜନ

-

ଦେଖିଚି ।

କରାଳୀ

-

ଭଲ, ମନ୍ଦ, ଉଭୟ ?

ସୁଜନ

-

ହଁ ।

କରାଳୀ

-

ଏମିତି ଲୋକ ଦେଖିଛନ୍ତି, ଯିଏ ନିଜର ଖାଇବାର ପଦାର୍ଥ ଭୋକିଲା ଲୋକଙ୍କୁ ବାଣ୍ଟିଦେଇ ଖୁସି ହୁଏ ?

ସୁଜନ

-

ତା’ପରେ ?

କରାଳୀ

-

ଭୋକିଲା ଲୋକ ଆଗରେ ଥୁଆହେଇଥିବା ଖାଦ୍ୟ ଛଡ଼େଇନେଇ ତା’ରି ଆଗରେ ଖାଇଦେଇ ଆନନ୍ଦରେ ଉଲ୍ଲସିତ ହେବାର କେବେ ଦେଖିଛନ୍ତି ?

ସୁଜନ

-

ବୋଧହୁଏ, ଦେଖିନି ।

କରାଳୀ

-

ପଶୁ ଦେଖିଛନ୍ତି ନିଶ୍ଚୟ- ? ପାଶବିକତା ?

ସୁଜନ

-

ଦେଖିବାର ସୁଯୋଗ ଥିଲେ’ବି ଦେଖିନି ।

କରାଳୀ

-

ପାଶବିକତାରେ ଉନ୍ମତ୍ତ ହେଇ ଝିଅର ଆଖିଆଗରେ ବାପକୁ ଖାଇବାକୁ ନ ଦେଇ ତିଳ, ତିଳ କରି ଶୁଖେଇ ମାରିବା- ଶୁଣିଛନ୍ତି- ପଢ଼ିଛନ୍ତି- କଳ୍ପନା କରିଛନ୍ତି ?

ସୁଜନ

-

କ’ଣ କହୁଚ ତୁମେ ?

କରାଳୀ

-

ଦେଖନ୍ତୁ, ଭଲକରି ଦେଖନ୍ତୁ- ମୋ ଆଖିରେ ପ୍ରତିହିଂସାର ନିଆଁ ଜଳୁଚି କି ? ମୋର ଏଇ ହାତ ଦି’ଟା ଲୁହାଠୁ ବଳି କଠିଣ ଅନୁଭବ କରୁଛନ୍ତି କି ? ମୋର ନିଶ୍ୱାସରେ ପ୍ରଖରତା- ମୋର ଦେହରେ ଉଷ୍ଣତା- ଓଃ-

 

 

(ଅତ୍ୟଧିକ ଉତ୍ତେଜନାରେ ଟଳିପଡ଼ିବାର ଉପକ୍ରମ ହେଲା । ସୁଜନ ନ ଧରିଥିଲେ ବୋଧହୁଏ ପଡ଼ି ଯାଇଥାନ୍ତା)

ସୁଜନ

-

ତୁମେ ବିଶ୍ରାମ କର । ଏତେଟା ଉତ୍ତେଜନା- ଭଲ ନୁହେଁ ।

କରାଳୀ

-

ସ୍ପର୍ଶ କରନ୍ତୁ ନାହିଁ । ଆପଣଙ୍କର ସ୍ପର୍ଶ ମୋତେ ନିବୃତ୍ତ କରୁଚି, ମୋର କର୍ତ୍ତବ୍ୟପଥରୁ ।

ସୁଜନ

-

ଶାନ୍ତ ହୁଅ ।

କରାଳୀ

-

କଅଁଳ କଥା କୁହନ୍ତୁ ନାହିଁ । ଶକ୍ତିର ମନ୍ତ୍ର ଶୁଣାନ୍ତୁ- ମୁଁ ଯେ କରାଳୀ

 

 

(ହସିଉଠିଲେ ଖୁବ୍ ଜୋରରେ)

ସୁଜନ

-

କରାଳୀ- ?

କରାଳୀ

-

ଜାଣେନା କିଏ ମୋର ନାମ କାହିଁକି ରଖିଥିଲା କରାଳୀ । ମୁଁ ସାର୍ଥକ କରିବି ସେ ନାମ- । ଆପଣ ଯା’ନ୍ତୁ- ହୁଏତ କେହି ଆସିଯିବେ- ଯା’ନ୍ତୁ-

ସୁଜନ

-

ତୁମେ ?

କରାଳୀ

-

ମୋ’ପାଇଁ ଚିନ୍ତାକରନ୍ତୁ ନାହିଁ । ଜୀବନ ମୋର ନିବେଦନ କରିଛି ମୃତ୍ୟୁର ପାଦତଳେ । ଯା’ନ୍ତୁ-

ସୁଜନ

-

ପ୍ରୟୋଜନ ହେଲେ-

କରାଳୀ

-

ଅବଶ୍ୟ ଡାକିବି । ଯା’ନ୍ତୁ- ଡେରି କରନ୍ତୁ ନାହିଁ । କିଏ- ଆସୁଚି-

 

 

(ସୃଜନ ପୁଣି ପାଖ ଘରକୁ ଚାଲିଗଲେ । କରାଳୀ ଖୁବ୍ ଚିନ୍ତିତ ହେଇପଡ଼ିଚି- ଟିକିଏ ପରେ ଆସି ବସିଲା କାଉଚ ଉପରେ । ଅଳ୍ପ ପରେ ଆସିଲା କୁଜନ । ସେ କରାଳୀକୁ ଲକ୍ଷ୍ୟକରି ନାହିଁ । ଭିତରକୁ ଲକ୍ଷ୍ୟକରି ଡାକିଲା)

କୁଜନ

-

ହରିଆ- ହରିଆ-

କରାଳୀ

-

ହରିଆ ଘରେ ନାହିଁ ।

କୁଜନ

-

(ହଠାତ୍‌ ଗୋଟାଏ ଅପରିଚିତ ସ୍ୱର ଶୁଣି ଚମକିପଡ଼ିଲା । ଫେରି ଚାହିଁ ଦେଖିଲା କରାଳୀକି । ତା’କୁ ଦେଖି ସେ ଯେପରି ଆହୁରି ବିଚଳିତ ହେଇପଡ଼ିଲା- ତା’ର ମୁହଁର ଭାବରୁ ପରିସ୍ଫୁଟିତ ହେଲା ଅସଂଯତ)

କରାଳୀ

-

(ସବୁ ଲକ୍ଷ୍ୟକରିଚି ହସି କହିଲା) ଚମକିପଡ଼ିଲେ ?

କୁଜନ

-

(ନିଜକୁ ସଂଯତ କରିନେଲା) ନା, ଓ- ଆପଣ? ନମସ୍କାର ।

କରାଳୀ

-

ନମସ୍କାର ।

 

 

(କହୁ କହୁ କାଉଚ ଉପରୁ ଉଠି ଆଗେଇଆସିଲା କୁଜନ ପାଖକୁ)

କୁଜନ

-

ଆପଣ ?

 

 

(ସ୍ୱରରେ ତା’ର ବିସ୍ମୟର ଭାବ)

କରାଳୀ

-

(ସନ୍ଦେହ ଦୃଷ୍ଟିରେ କୁଜନକୁ ଆପାଦ ମସ୍ତକ ଲକ୍ଷ୍ୟକରି) ଠିକ୍‌, ଆପଣ ତ ?

କୁଜନ

-

କ’ଣ କହୁଚନ୍ତି?

କରାଳୀ

-

କହିନାହିଁ- କହିବି ।

କୁଜନ

-

ମୁ ଏଠାର ଜଣେ କର୍ମଚାରୀ ।

କରାଳୀ

-

ସାଧାରଣ ନା ଅସାଧାରଣ ?

କୁଜନ

-

ପ୍ରଶ୍ନ ବୁଝିପାରୁନି ।

କରାଳୀ

-

ପ୍ରଶ୍ନ ଶୁଣି ପ୍ରଶ୍ନ କଲେ ବୁଝାଯାଏ ଠିକ୍‌ ବୁଝିଚନ୍ତି ।

କୁଜନ

-

କ’ଣ ସବୁ କହୁଚନ୍ତି ? ଆପଣ କିଏ, କାହିଁକି ଏଠିକି ଆସିଚନ୍ତି, ଜାଣେନା । ମୋ ସହିତ ଏପରିଭାବେ କଥା କହିବା-

କରାଳୀ

-

ଶିଷ୍ଟାଚାର ସମ୍ମତ ନୁହେଁ ?

କୁଜନ

-

ଠିକ୍‌ ସେଇୟା ।

କରାଳୀ

-

ଆପଣ ମୋତେ ଚିହ୍ନି ନ ଚିହ୍ନିବାର ଛଳନା କରି ବିରୂପ ବ୍ୟବହାର କରିବା କ’ଣ ଶିଷ୍ଟାଚାର ସମ୍ମତ ?

କୁଜନ

-

ମୁଁ ଆପଣଙ୍କୁ ଚିହ୍ନେନା ।

କରାଳୀ

-

ଥରେ ଭଲକରି ଦେଖିନିଅନ୍ତୁ । ହାଁ, ହାଁ, ଲାଜ କରନ୍ତୁ ନାହିଁ- ସେଇଟା ମୋ ପକ୍ଷେ ସମ୍ଭବ । ସଙ୍କୋଚ କାହିଁକି ? ଏଇ ମୁହଁ- ଏଇ ଆଖି- ଏଇ ଦେହ- କହୁ କହୁ ଦେହର ବହୁ ପ୍ରକାର ଭଙ୍ଗୀକରି ବୁଲିଲା କୁଜନର ଚାରିପଟେ ।

କୁଜନ

-

(ବିଚଳିତ ହେଲା) ଏପରି ବ୍ୟବହାର ?

କରାଳୀ

-

ଅତି ପରିଚିତ ବୋଲି କହୁଚି ।

କୁଜନ

-

ଆପଣଙ୍କୁ ମୁଁ ଜାଣେନା- କେବେ ଦେଖିନାହିଁ, ଅଥଚ-

କରାଳୀ

-

ଆପଣ ମୋତେ ଜାଣନ୍ତି- ଦେଖିଚନ୍ତି ଏବଂ ମୋ’ସହିତ-

କୁଜନ

-

ବନ୍ଦ କରନ୍ତୁ ବାଜେ କଥା ।

କରାଳୀ

-

(ଟିକିଏ ରହି) ଆଚ୍ଛା, କୁହନ୍ତୁ’ତ ଆପଣଙ୍କ ଛାତିରେ କେତେଗୁଡ଼ାଏ ଦାଗ ଅଛିକି ନା ?

କୁଜନ

-

(ବିବ୍ରତ ହୋଇପଡ଼ିଲେ) କି ଦାଗ ?

କରାଳୀ

-

(ମୃଦୁ ହସି) ପ୍ରକାରାନ୍ତରେ ସ୍ୱୀକାର କରୁଛନ୍ତି ତାହେଲେ ?

କୁଜନ

-

ନା- ଛାତିରେ ଦାଗ ଫାଗ କିଛି ନାହିଁ- (କହୁଥିଲା ମାତ୍ର ଦେହକୁ ଘୋଡ଼େଇ ରଖିବା ଚେଷ୍ଟା କରୁଥିଲା । ସ୍ୱର ବିଚଳିତ)

କରାଳୀ

-

ନିଜର ଦେହ ପ୍ରତି ଲକ୍ଷ୍ୟରଖନ୍ତି ନାହିଁ ଦେଖୁଚି । ବୋଧହୁଏ ଅନ୍ୟ ପ୍ରତି ଲକ୍ଷ୍ୟଟା ବେଶି ।

କୁଜନ

-

କଦର୍ଯ୍ୟ କଥା-

କରାଳୀ

-

ଦଶବର୍ଷ ତଳର କଥା କିଛି ମନେଥିବ ନିଶ୍ଚୟ ?

କୁଜନ

-

ଦଶବର୍ଷ ତଳ କଥା ?

କରାଳୀ

-

ହଁ, ଦେହରେ ଯୌବନର ଜୁଆର- ମନରେ ଅଶାନ୍ତ ଉଦ୍‌ବେଗ- ଆଖିରେ ଲାଳସାର ବହ୍ନି- ହାତ ବଢ଼େଇଲେ ଧରିବାକୁ ଏକ ଅସହାୟା-

କୁଜନ

-

କ’ଣ, ଏଣୁତେଣୁ କହୁଚନ୍ତି ?

କରାଳୀ

-

ତା’ପର ଆରମ୍ଭ ହେଲା ଦୁର୍ବଳ ଓ ସବଳର ବଳ କଷାକଷି-

କୁଜନ

-

ବନ୍ଦ କରନ୍ତୁ-

କରାଳୀ

-

ସବଳ କବଳରୁ ରକ୍ଷାପାଇବାର ଉପାୟ ନଦେଖି, ଦୁର୍ବଳ ନିଜର ନଖ ଓ ଦାନ୍ତରେ ସବଳ ବୁକୁରେ କଲା ଆଘାତ-

କୁଜନ

-

ମିଛ କଥା-

କରାଳ

-

ସେ କ୍ଷତ ଶୁଖିବାର ନୁହେଁ- ଶୁଖିନଥିବ । ମୋର ସ୍ମରଣଶକ୍ତି କ୍ଷୀଣ ହୋଇନି- ଏବେବି-

କୁଜନ

-

ଆପଣ ଥାଆନ୍ତୁ- ମୁ ଯାଏଁ-

 

 

(ଆଗେଇଲା ବାହାରକୁ ଯିବାପାଇଁ)

କରାଳୀ

-

କଥାର ଜବାବ ଦିଅନ୍ତୁ ?

କୁଜନ

-

ଅଯଥା ସମୟ ନଷ୍ଟ କରିବାକୁ ଚାହେଁନା-

କରାଳୀ

-

ଦେଖେଁ ଆପଣଙ୍କର ବୁକୁଟା-

 

 

(ହଠାତ୍‌ କୁଜନ ପାଖକୁ ଯାଇ ତାର ଜାମାଟା ଟାଣି ଦେଲା । କୁଜନ ପ୍ରସ୍ତୁତ ନଥିଲା ଜାମାଟା ଖୋଲି ଯିବାରୁ କ୍ଷତଟା ସ୍ପଷ୍ଟ ଦେଖାଗଲା)

କୁଜନ

-

(ଘୋଡ଼ାଇବାର ଚେଷ୍ଟାକରି କହିଲା) ଏ କ’ଣ କରୁଛନ୍ତି ?

କରାଳୀ

-

ସେହି ପୁରୁଣା କ୍ଷତର ଚିହ୍ନଟା ଆଉଥରେ ଦେଖେଇଦଉଚି । କ’ଣ ଏଥର ମୋତେ ଚିହ୍ନିଲେ ?

କୁଜନ

-

ଏଥିପାଇଁ ଆପଣଙ୍କୁ କଷ୍ଟ ଭୋଗ କରିବାକୁ ପଡ଼ିବ, ଯଦି ଶୀଘ୍ର ଚାଲିନଯାନ୍ତି-

କରାଳୀ

-

ସ୍ୱରୂପଟା ତା’ହେଲେ ଏଥର ପ୍ରକାଶ କଲ ନା ?

କୁଜନ

-

ଅଯଥା ବାକ୍ୟ ବ୍ୟୟ ନକରି ଏଠୁ ଚାଲିଯାନ୍ତୁ-

କରାଳୀ

-

ଆଦେଶ?

କୁଜନ

-

କ୍ଷତି କ’ଣ ? (ସ୍ୱର ଉତ୍ତେଜିତ)

କରାଳୀ

-

ଅଧୀର ହୁଅନା ସମୀର

କୁଜନ

-

(ଚମକିପଡ଼ିଲା) ସମୀର- (ସ୍ୱରରେ ଅହଙ୍କାର ଭାବ)

କରାଳୀ

-

ନିଜର ନାଁଟା ବି ପାଶୋରି ଦେଇଚ ? ଓହୋ, ଏଠି ତୁମେ ଅନ୍ୟ ନାମରେ ପରିଚିତ ବୋଧହୁଏ ?

କୁଜନ

-

ତୁନିହୁଅ- କୁହ ଯିବିକି ନା?

କରାଳୀ

-

ତୁମର ଗୋଲାପୀ ଆଖିରେ ଯାକୁ ବଶକରି ପାରିନଥିଲ ନାଲି ଆଖିରେ କ’ଣ ବଶ କରିପାରିବ ସମୀର ? ମୁଁ ସେଦିନର ସେହି ଅସହାୟା କମଳା ନୁହେଁ- ଆଜି ଶକ୍ତିରୂପା କିରାଳୀ ।

କୁଜନ

-

ମୁଁ ତୁମକୁ ଏଠି ରହିବାକୁ ଦେବିନି ।

କରାଳୀ

-

ତୁମେବି ଏଠୁ ଫେରି ଯାଇପାରିବନି ।

କୁଜନ

-

ବାଚାଳତା କରନା- ଫଳ ଖରାପ ହେବ ।

କରାଳୀ

-

ମୁ ଖରାପକୁହିଁ ଆହ୍ୱାନ କରୁଚି ।

କୁଜନ

-

ଏଇଠି ତୁମକୁ ଶେଷ କରି ଦେଇପାରେ-

କରାଳୀ

-

ତୁମର ସତ୍ତାବି ଲୋପ ପାଇଯାଇପାରେ-

କୁଜନ

-

ଆଉଥରେ- ଶେଷଥରପାଇଁ କହୁଚି- ଚାଲିଯାଅ-

କରାଳୀ

-

କ’ଣ ତୁମର ପ୍ରଭୁ ଚମ୍ପତ୍ତିରାୟ ଆସିବା ପୂର୍ବରୁ?

କୁଜନ

-

ହଁ, ସେ ଆସିବା ପୂର୍ବରୁ ତୁମେ ଯିବ ।

କରାଳୀ

-

ତୁମର ପରିମାଣ ନ ଦେଖିଲେ କିନ୍ତୁ, ତାଙ୍କ ମନରେ ଅବଶୋଷ ରହିଯିବ ।

କୁଜନ

-

କମଳା ?

କରାଳୀ

-

ସମୀର ?

କୁଜନ

-

ଦୁଇମିନିଟ ସମୟ ଦେଲି-

କରାଳୀ

-

ମୁଁ କିନ୍ତୁ ସମୟ ନେଇପାରୁନି- ହାତ ଉଠାଅ-

 

 

(ପିସ୍ତଲ ଲକ୍ଷ୍ୟକଲା କୁଜନ ।)

କୁଜନ

-

(ପ୍ରସ୍ତୁତ ନଥିଲା । ସେ ପକେଟରେ ହାତଦେବା ମାତ୍ରେ କରାଳୀ ପିସ୍ତଲ ଲକ୍ଷ୍ୟ କରିବାରୁ- ବାଧ୍ୟହୋଇ ହାତ ଟେକିଲା) ।

କରାଳୀ

-

ତୁମକୁ ଶେଷ କରିବାପାଇଁ ମୁହୂର୍ତ୍ତେ ଦରକାର । ଏ ପିସ୍ତଲର ଶବ୍ଦ ହେବନାହିଁ ।

କୁଜନ

-

ମୁଁ-

କରାଳୀ

-

ନା, ତୁମଭଳି ଦୁର୍ଜନ ସହଚର ଦୂରହେବାହିଁ ଶ୍ରେୟ । ତୁମକୁ ମୁଁ ମାରିବି ନାହିଁ- ତୁମକୁ ଶେଷକରିବେ-

କୁଜନ

-

(ଶଙ୍କିତ ହେଲା । କ’ଣ କହିବାକୁ ଯାଉଥିଲା ମାତ୍ର କରାଳୀ କହିଲା-)

କରାଳୀ

-

ବାହାରେ ନିଶ୍ଚୟ କେତେକ ଭିକାରିକୁ ଦେଖିଚ ? ସାଥିରେ ତାଙ୍କର ଦୁଇଟା ଭୋକିଲା କୁକୁର । ଶୁଣିବାର ଚେଷ୍ଟାକଲେ ଏଇଠୁ ତାଙ୍କର ଚିତ୍କାର ଶୁଣିପାରିବ । ତୁମେ ବାହାରକୁ ଯିବାମାତ୍ରେ ଭିକାରିମାନେ ତୁମକୁ ଦୂରକୁ ନେଇଯାଇ କୁକୁର ଦୁଇଟାକୁ ଖୋଲିଦେବେ- ତା’ପରେ-

କୁଜନ

-

(ଭୟରେ ଚିତ୍କାର କରି କହିଲା ।) କମଳା-

କରାଳୀ

-

ତାଙ୍କପାଇଁ ସଙ୍କେତ ରହିଚି ତୁମ ବୁକୁର ସେଇ କ୍ଷତ ଚିହ୍ନ ।

କୁଜନ

-

ମୋତେ କ୍ଷମାକର କମଳା । ମୁଁ- ଏଇ ସହର ଛାଡ଼ି ଚାଲିଯିବି- ତୁମକୁ ଅନୁନୟ କରୁଚି- ।

କରାଳୀ

-

ମୋର ମତ ପରିବର୍ତ୍ତିତ ହୁଏନା । ଯାଅ- ସମୟ ଅଳ୍ପ- ଅନେକ କାମ ବାକି- ଯାଅ- ଦୂରହୁଅ ।

କୁଜନ

-

କମଳା- ନା- ନା- କରାଳୀ-

କରାଳୀ

-

ହାଃ- ହାଃ- ହାଃ- ହାଃ- ଭୟ କରୁଚ ? (ହଠାତ୍‌ ରୁକ୍ଷ କଣ୍ଠରେ କହିଉଠିଲା) ଯାଅ- ନହେଲେ-

 

 

(ପିସ୍ତଲ ଲକ୍ଷ୍ୟକଲା କୁଜନଆଡ଼େ । କୁଜନ ଭୟରେ ଦୌଡ଼ି ପଳେଇଲା- କରାଳୀ ପୁଣି ହସିଲା ।) X X X ଆରପଟ ଦୁଆର ଠେଲି ଆସିଲେ ସୁଜନ । କରାଳୀକୁ ହସିବାର ଦେଖି କହିଲେ- ।

ସୁଜନ

-

ଏ କ’ଣ ? ଏ କି ହସ ?

କରାଳୀ

-

ବହୁଦିନ ହସିନାହିଁ । ଆଜି ହସୁଚି ମନଖୋଲା ହସ- ଆହୁରି ହସିବାକୁ ଦିଅନ୍ତୁ ।

ସୁଜନ

-

ଜଣକର ସର୍ବନାଶ କରି....

କରାଳୀ

-

ଅନୁନୟ କରୁଚି- ହିତ କଥା ଶୁଣାନ୍ତୁ ନାହିଁ ଆହୁରି ଆହୁରି ଅନେକ କାମ ବାକି । ଆପଣ ଯାନ୍ତୁ-

ସୁଜନ

-

ପ୍ରକୃତିସ୍ଥା ହୁଅ- ଚିନ୍ତାକର-

କରାଳୀ

-

ବର୍ଷପରେ ବର୍ଷ ଦୀର୍ଘ ଦଶବର୍ଷ ଚିନ୍ତାକରିଛି- ଖୋଜିଛି- ବୁଲିଛି । ଆଜି ପାଇଛି ସନ୍ଧାନ ଅଚାନକ ଭାବେ ।

ସୁଜନ

-

ପ୍ରତିଶୋଧ କ’ଣ କେବଳ ହିଂସାରେ ହୁଏ ?

କରାଳୀ

-

କେଉଁଥିରେ କ’ଣ ହୁଏ ଜାଣେନା- କହିପାରିବ ନାହିଁ । ମୋର ନିଜସ୍ୱ ମତରେ-

ସୁଜନ

-

ତୁମେ ଭୁଲ୍ କରୁଛ ।

କରାଳୀ

-

ଆପଣଙ୍କୁ ପିତାର ସମ୍ମାନ ଦେଇଛି- ସେ ମର୍ଯ୍ୟାଦା ରକ୍ଷାକରନ୍ତୁ । ଆପଣ ଏଠୁ ଚାଲିଯାନ୍ତୁ କିଛି ସମୟପାଇଁ

ସୁଜନ

-

ଏତେଟା-

କରାଳୀ

-

ଅନୁରୋଧ- ଅନୁନୟ- ମୋ ବାଟରେ ବାଧା ସୃଷ୍ଟି କରନ୍ତୁ ନାହିଁ । ନହେଲେ- ମୁଁ- ମୁଁ- ନା, ନା, ଆପଣ ରଖିବେନି ମୋ କଥା ?

ସୁଜନ

-

ବେଶ୍‌ ଯାଉଚି । ଏତିକି ମନେରଖ ଉତ୍ତେଜନା ବଶରେ ପନ୍ଥାକୁ ଜଟିଳ କରିବ ନାହିଁ ।

କରାଳୀ

-

ମନେରହିବ-

 

 

(ସୁଜନ ଚାଲିଗଲେ । କରାଳୀ ଟିକିଏ ବିଚଳିତ ହେଲାପରି ଦେଖାଯାଉଥିଲା । କ୍ରମେ ସେ ନିଜକୁ ସଂଯତ କରିନେଲା । ତାପର ପିସ୍ତଲଟାକୁ ପୁଣି ଯଥାସ୍ଥାନରେ ରଖି ସୋଫା ଉପରେ ବସିଲା । ଅଳ୍ପରେ ବାହାରୁ ଆସିଲେ ରତ୍ନଗର୍ଭା । ତାଙ୍କୁ ଟିକିଏ ବ୍ୟସ୍ତ ଥିଲାପରି ମନେହେଉଥିଲା । ଘର ଭିତରର ଅନ୍ୟ କିଛି ପ୍ରତି ଦୃଷ୍ଟି ନ ଦେଇ ସେ ଯାଉଥିଲେ ଭିତରକୁ ଏହି ସମୟରେ କରାଳୀ ଡାକିଲା)

କରାଳୀ

-

ଶୁଣନ୍ତୁ-

ରତ୍ନ

-

(ହଠାତ୍‌ ଚମକିପଡ଼ି ଫେରି ଚାହିଁଲେ)

କରାଳୀ

-

ଚମକିପଡ଼ିଲେ ? ଖୁବ୍ ବ୍ୟସ୍ତ ଥିଲାପରି ମନେହେଉଚି-

ରତ୍ନ

-

ବ୍ୟସ୍ତ ? ନା- ଏଇ- ହୁଁ ଗୋଟାଏ ଘଟଣା ଦେଖି-

କରାଳୀ

-

କି ଘଟଣା ?

ରତ୍ନ

-

ଗୋଟାଏ, ଲୋକ ଖଣ୍ଡିଆ ଖାବରା ହେଇ ତଳେ ପଡ଼ିଚି- ତାକୁ ଘେରି କେତେଗୁଡ଼ାଏ ଭିକାରି- ବଞ୍ଚିବ କି ନା- (ଆଉ କହିପାରିଲେ ନାହିଁ)

କରାଳୀ

-

କ’ଣ ହେଲା ? (ଖୁବ୍ ଔତ୍ସୁକ୍ୟ)

ରତ୍ନ

-

ସେ ଏକ ଭୀଷଣ ଦୃଶ୍ୟ । ବିଚରା-

କରାଳୀ

-

ଆପଣଙ୍କର କେହି ପରିଚିତ ?

ରତ୍ନ

-

ହୁଁ, କର୍ତ୍ତାଙ୍କର ଜଣେ କର୍ମଚାରୀ ।

କରାଳୀ

-

ଯେମିତି କର୍ମ କରିଛି ସେମିତି ଫଳ ଭୋଗ କରିଛି- ଛାଡ଼ନ୍ତୁ ।

ରତ୍ନ

-

କ’ଣ କରିଛି ସେ ?

କରାଳୀ

-

ଯାହା ନ କରିବାର କଥା ।

ରତ୍ନ

-

ତୁମର କଥା ଖୁବ୍‍ ଅଡ଼ୁଆ ।

କରାଳୀ

-

କିନ୍ତୁ, ଠିକ୍ ବୁଝନ୍ତି ସମସ୍ତେ

ରତ୍ନ

-

ତୁମେ ବର୍ତ୍ତମାନ କ’ଣ କରିବ ?

କରାଳୀ

-

ବାକି କାମ ଶେଷ କରିବି ।

ରତ୍ନ

-

ଅନ୍ଧାର ହେଲା ଆସି-

କରାଳୀ

-

ଆଲୁଅ ଶେଷରେ ଅନ୍ଧାର ନିଶ୍ଚୟ ଆସିବ ।

ରତ୍ନ

-

କୋଉଠି ରହିବ ?

କରାଳୀ

-

ଏଠି ଅସୁବିଧା ହେବ ନାହିଁ ।

ରତ୍ନ

-

କିନ୍ତୁ-

କରାଳୀ

-

ମୁ କୌଣସି କଥାରେ ‘କିନ୍ତୁ’ ରଖେନା ।

ରତ୍ନ

-

ତୁମେ- ମୋ ମତରେ-

କରାଳୀ

-

ଏଠି ନ ରହିବା ଭଲ ?

ରତ୍ନ

-

ବୁଝିଥିଲେ ଖୁସି ହେବି ।

କରାଳୀ

-

କେହି ଆତ୍ମୀୟ ହୋଇଥିଲେ କ’ଣ କରିଥାନ୍ତେ ?

ରତ୍ନ

-

ଆତ୍ମୀୟତା ଦେଖେଇଥାନ୍ତି ।

କରାଳୀ

-

ମୁଁ ଆପଣଙ୍କ ଝିଅ ।

ରତ୍ନ

-

(ବିସ୍ମୟରେ) ଝିଅ ?

କରାଳୀ

-

ଆପଣ କଣ ମାତୃତ୍ୱକୁ ସ୍ୱୀକାର କରିବାରେ ଆଗ୍ରହୀ ନୁହଁନ୍ତି ?

ରତ୍ନ

-

ନାରୀ କ’ଣ ମାତୃତ୍ୱର ଆକାଂକ୍ଷା ତ୍ୟାଗ କରିପାରେ ?

କରାଳୀ

-

ବିଦୂଷୀ ଆପଣ । ଆଚ୍ଛା, କହିବେ- ଅନ୍ୟାୟକୁ ସମର୍ଥନ ଓ ଅନ୍ୟାୟକାରୀକୁ ସାହାଯ୍ୟ କରିବା ଉଚିତ କି ନୁହେଁ ?

ରତ୍ନ

-

ଦୁଇଟାହିଁ ଅନୁଚିତ ।

କରାଳୀ

-

ଅତି ଆପଣାର ହେଲେବି ?

ରତ୍ନ

-

ଆପଣା ପରର ପ୍ରଭେଦ ନାହିଁ ।

କରାଳୀ

-

ଆପଣ ଉଦାର ।

ରତ୍ନ

-

ଉଦାରତା ନୁହେଁ- ମାନବିକତା । ଅର୍ଥର ପ୍ରାଚୁର୍ଯ୍ୟ ଥିଲେ ବି ଯଦି ମାନବିକତାର ଅଭାବ ରହେ ତେବେ ସେ ସମ୍ପଦ ମୂଲ୍ୟହୀନ ।

କରାଳୀ

-

ଆପଣ ବନ୍ଦନୀୟା- (ପାଦସ୍ପର୍ଶ କଲା)

ରତ୍ନ

-

ଏ କ’ଣ ?

କରାଳୀ

-

ମା’ର ଆଶୀର୍ବାଦ କାମନା କଲି ।

ରତ୍ନ

-

ତୁମକୁ ପ୍ରଥମେ ଯା ଭାବିଥିଲି- ଏବେ-

କରାଳୀ

-

ଅନ୍ୟପ୍ରକାର ? ଏବେର ଦୁନିଆର ସବୁ କିନ୍ତୁ ଭେଜାଲ- ଅପମିଶ୍ରିତ । ଖାଣ୍ଟି ମଣିଷ ନାହାନ୍ତି । ଆପଣ ଯା’ନ୍ତୁ ଭିତରକୁ । ମୁଁ ଏଇଠି ଅଛି- ରହିବି ମଧ୍ୟ କାମ ଶେଷ ନ ହେବା ଯାଏଁ ।

ରତ୍ନ

-

କି କାମ ?

କରାଳୀ

-

ଅତୀତର ଏକ ଅଡ଼ୁଆ ହିସାବର ନିଷ୍ପତ୍ତି- ଖୁବ୍ ଦାୟିତ୍ୱପୂର୍ଣ୍ଣ ।

ରତ୍ନ

-

ସେ ଆସନ୍ତୁ ତାଙ୍କୁ କହିବି- ଯଦି ସାହାଯ୍ୟ କରିପାରନ୍ତି ।

କରାଳୀ

-

ମୁଁ ତ ତାଙ୍କରି ଅପେକ୍ଷାରେ ।

ରତ୍ନ

-

ସେ ପ୍ରାୟ ଆସିଲେବୋଲି । ହରିଆ- (କହି ଆଗେଇଲେ ଭିତରକୁ ଯିବାକୁ)

କରାଳୀ

-

ହରିଆକୁ ପଠେଇଚି ବାହାରକୁ ଗୋଟାଏ ଜିନିଷପାଇଁ

ରତ୍ନ

-

ଭଲକରିଚ । ତୁମର-

କରାଳୀ

-

ନିତ୍ୟକର୍ମ ? ସାରିଦେଇଚି ।

ରତ୍ନ

-

ହଉ ବସ- ଚା’ କରିଦଉଚି ।

କରାଳୀ

-

ଏଇତ ଟିକିଏ ପୂର୍ବେ ଖାଇଚି ।

ରତ୍ନ

-

ତାହେଲେ, ହରିଆ ଆସୁ- ହଁ କ’ଣ ଖାଇବ ରାତିରେ ?

କରାଳୀ

-

ରାତି ପର୍ଯ୍ୟନ୍ତ କ’ଣ ହେବ ତା’ କହିପାରୁ ନାହିଁ- ପରେ କହିବି । ବ୍ୟସ୍ତ ହେବେ ନାହିଁ ।

ରତ୍ନ

-

ମନେହେଉଚି ତୁମେ କିଛି ଚିନ୍ତା କରୁଚ- ଠିକ୍‌ ?

କରାଳୀ

-

ଖାଲି ଚିନ୍ତା କରୁନାହିଁ- ଚିନ୍ତାରେ ପାଗଳ ହେଇଚି ।

ରତ୍ନ

-

ହୁଏତ ମୋର ଜାଣିବା ଉଚିତ୍‌ ନୁହେଁ । ବେଶ୍‌, ସେ ଆସନ୍ତୁ- ଏଇତ- ଆସୁଛନ୍ତି-

 

 

(ପ୍ରବେଶ କଲେ ଜଗମୋହନ । ମୁହଁରେ ପ୍ରଫୁଲ୍ଲତାର ଚିହ୍ନ ପରିସ୍ଫୁଟ । ସେ ଅନ୍ୟଆଡ଼େ ଦୃଷ୍ଟି ନଦେଇ ଆଗେଇଆସିଲେ ।- ରତ୍ନଗର୍ଭା ପଚାରିଲେ)

 

 

କ’ଣ ଭାରି ଖୁସିରେ ଫେରୁଚ ।

ଜଗ

-

ଗୋଟାଏ ଦୁଶ୍ଚିନ୍ତାରୁ ରକ୍ଷା ପାଇଗଲି ବୋଲି ।

ରତ୍ନ

-

କି ଦୁଶ୍ଚିନ୍ତା ?

ଜଗ

-

କହିବି-

କରାଳୀ

-

ଅନେକରୁ ଗୋଟାଏ ମାତ୍ର ଗଲା- ବାକିଗୁଡ଼ାକ- ?

ଜର

-

(ଅନ୍ୟ କାହାରି ଉପସ୍ଥିତି ସେ କଳ୍ପନା କରିନଥିଲେ । ଚମକିପଡ଼ି ଫେରି ଚାହିଁଲେ କରାଳୀକୁ ଦେଖି ତାଙ୍କର ମୁହଁର ଭାବ ପରିବର୍ତ୍ତିତ ହେଲା- ଗମ୍ଭୀରଭାବେ କହିଲେ-) ତୁମେ ?

କରାଳୀ

-

ଆପଣଙ୍କ ଅପେକ୍ଷାରେ ।

ରତ୍ନ

-

କେତେଗୁଡ଼ାଏ ପୁରୁଣା ହିସାବର ନିକାଶ କରିପାରୁ ନାହିଁ ବୋଲି ତାର ଦୁଶ୍ଚିନ୍ତା- ପାଗଳପରି ହେଲଣି ।

ଜଗ

-

ଦୁଶ୍ଚିନ୍ତା- ପୁରୁଣା ହିସାବ ନିକାଶ ?

ରତ୍ନ

-

ହଁ, ତୁମେ ଟିକିଏ ସାହାଯ୍ୟ କଲେ-

ଜଗ

-

କ’ଣ ତୁମେ କହୁଚ ?

ରତ୍ନ

-

ତୁମେ କରାଳୀକୁ ପଚାରି ବୁଝ । ମୁ କହିଚି ତୁମେ ତାକୁ ସାହାଯ୍ୟ କରିବ ।

ଜଗ

-

ମୁଁ.......?

ରତ୍ନ

-

କରାଳୀ ମୋତେ ମା’ ବୋଲି ଡାକିଚି ।

ଜଗ

-

ମା’ ?

ରତ୍ନ

-

ତା’ର କଅଁଳ କଥାର ମୁଁ-

ଜଗ

-

ରତ୍ନ.......(ଅସଂଲଗ୍ନ କଥା)

କରାଳୀ

-

ଆପଣଙ୍କୁ ଯଦି ‘ବାବା’ ବୋଲି ଡାକେ, ଖୁସି ହେବେନାହିଁ ?

ଜଗ

-

ବାବା ? (ବିସ୍ମୟର ଆଭାଷ)

କରାଳୀ

-

ମୋର ବାପ, ମା’ କେହି ନାହାନ୍ତି ।

ଜଗ

-

ମୋର ଶୁଣି ଲାଭ ?

କରାଳୀ

-

ନା- ନା ବ୍ୟସ୍ତ ହୁଅନ୍ତୁ ନାହିଁ । ଆପଣତ ସବୁ ଜାଣନ୍ତି ଭଲରୂପେ- କେମିତି କ’ଣ ହେଲା-

ଜଗ

-

ମୁଁ କିଛି ଜାଣେନା- କ’ଣ ସବୁ କହୁଚ । ଏଣୁତେଣୁ ମିଛକଥା କହି ସମ୍ପର୍କ ଗଢ଼ିତୋଳୁଚ କିଏ ତୁମେ ?

ରତ୍ନ

-

ଝିଅଟା ମନରେ ଖୁବ୍‌ ଦୁଃଖ- ତୁମେ ତାକୁ ଟିକିଏ କଅଁଳ କଥା କହିଲେ କ’ଣ ଚଳିବ ନାହିଁ ?

ଜଗ

-

ତୁମେ ଯାଅ ଭିତରକୁ- ଆଉ ତୁମେ କରାଳୀ-

କରାଳୀ

-

କୁହନ୍ତୁ- ।

ଜଗ

-

ମୁଁ ଫେରିବା ପୂର୍ବରୁ ତୁମର ଏଠୁ ଚାଲଯିବା ଉଚିତ୍‌ ଥିଲା ।

କରାଳୀ

-

ଯା ହେଇନାହିଁ ତା’ନେଇ ଆଲୋଚନା ନକରି, ଯା ହବ ତା’ର ଚିନ୍ତା କରିବା ବୁଦ୍ଧିମାନର କାମ ।

ଜଗ

-

ବାଚାଳତା ବନ୍ଦକର ।

କରାଳୀ

-

ଚପଳତା ମୁଁ ପ୍ରକାଶ କରୁନି ।

ଜଗ

-

ମୋ ଘରୁ ଏହିକ୍ଷଣି ଚାଲିଯାଅ ନହେଲେ-

କରାଳୀ

-

କୁଜନକୁ ପଠେଇଥିଲେ ମୋତେ ତଡ଼ିଦେବାପାଇଁ ନା ଶେଷ କରି ଦେବାପାଇଁ ?

ଜଗ

-

(ହଠାତ୍‌ ଚମକିପଡ଼ିଲେ କରାଳୀର କଥାରେ । ତା’ ମୁହଁକୁ ଚାହିଁ ଆହୁରି ବିସ୍ମିତ ହେଲେ)

କରାଳୀ

-

ବିଚରା ଅସୁସ୍ଥତା ବୋଧ କରିବାରୁ ଚାଲିଗଲା ।

ରତ୍ନ

-

ତୁମେ କୁଜନର ଅବସ୍ଥା ଦେଖିନାହଁ ?

ଜଗ

-

କ’ଣ ହେଲା ତାର ?

ରତ୍ନ

-

ବାଟରେ ଗୋଟାଏ ନର୍ଦ୍ଦମା ପାଖରେ ପଡ଼ିଚି- ଦେହରେ ଅସଂଖ୍ୟ କ୍ଷତ-

ଜଗ

-

କୁଜନ.....ନାହିଁ ?

କରାଳୀ

-

ଦୁଃଖ କରୁଛନ୍ତି କାହିଁକି ? ପର ଉପରେ ଅତ୍ୟାଚାର କରି ଯେଉଁମାନେ ସ୍ୱାର୍ଥସିଦ୍ଧି କରନ୍ତି- ସେମାନେ ବି ଅତ୍ୟାଚାରିତ ହୁଅନ୍ତି ଅଜାଣତରେ ।

ରତ୍ନ

-

ଏସବୁ କି କଥା- ରହସ୍ୟ ମୁଁ ବୁଝିପାରୁ ନାହିଁ ।

ଜଗ

-

ତୁମେ ଯାଅ- (ଚିତ୍କାର କରି କହିଲେ)

ରତ୍ନ

-

କ’ଣ ହେଲା ?

କରାଳୀ

-

ବୋଧହୁଏ ଦୁଶ୍ଚିନ୍ତା-

ରତ୍ନ

-

ଭିତରକୁ ଚାଲ ବିଶ୍ରାମ କରିବ ।

ଜଗ

-

ବିଶ୍ରାମ ?- ନା- ନା- ଓଃ ମଥା ଭିତରଟା- ତୁମେ ସବୁ ଯାଅ- ମୁଁ ରହିବି ଏଇଠି-

କରାଳୀ

-

ଆପଣ ବସନ୍ତୁ- ମୁଁ ସେବା କରେଁ-

ଜଗ

-

ନା- ଯାଅ- ମୋ ଆଗରୁ ଚାଲିଯାଅ-

ରତ୍ନ

-

ଏତେ ଉତ୍ତେଜିତ କାହିଁକି ?

ଜଗ

-

କଥା କୁହନା- ଯାଅ- ମୋ ପାଖରୁ ଚାଲିଯାଅ-

ରତ୍ନ

-

ବେଶ୍‌

 

 

(ରତ୍ନଗର୍ଭା ଭିତରକୁ ଚାଲିଗଲେ । ଜଗମୋହନ ଘର ଭିତରେ ଅସ୍ଥିରଭାବେ ବୁଲିବାକୁ ଲାଗିଲେ । କିଛି ପରରେ କରାଳୀ କହିଲା)

କରାଳୀ

-

ଏକୁଟିଆ ରହିବାକୁ ଭଲଲାଗିବ ?

ଜଗ

-

କିଏ- ତମେ କିଏ ?

କରାଳୀ

-

ଜାଣିଛନ୍ତି ତ- ।

ଜଗ

-

ନା, ମୁଁ ଜାଣେନା- ଚିହ୍ନେନା ।

କରାଳୀ

-

ପ୍ରଥମେ ଚିହ୍ନି ନ ଥିଲେ- ଏବେ ଚିହ୍ନିଛନ୍ତି- ଜାଣିଛନ୍ତି ।

ଜଗ

-

ମିଛକଥା ।

କରାଳୀ

-

ମୋତେ ତଡ଼ିଦେବାପାଇଁ ଏତେ ବ୍ୟଗ୍ର କାହିଁକି ?

ଜଗ

-

ଅବାଞ୍ଛିତ ଅତିଥି ବୋଲି ।

କରାଳୀ

-

କ’ଣ କ୍ରସ୍‌ଟା ଦେଖିଲା ପରେ ଜାଣିଲେ ?

ଜଗ

-

କ୍ରସ୍‌ ? କି କ୍ରସ୍‌ ?

କରାଳୀ

-

ସୁନାର କ୍ରସ୍‌ ବାଥ୍‌ରୁମ୍‌ରୁ ପାଇ ହରିଆ ଆପଣଙ୍କୁ ଦେଇଛି ।

ଜଗ

-

ହରିଆ ?

କରାଳୀ

-

ଇଚ୍ଛାକରି କ୍ରସ୍‌ଟା ପକେଇଦେଇ ଆସିଥିଲି ମୋର ଧାରଣା ଠିକ୍‌ ଭୁଲ୍ ଜାଣିବାପାଇଁ ।

ଜଗ

-

ଏସବୁ ଶୁଣେଇ ଲାଭ ?

କରାଳୀ

-

ଲାଭ ନ ଥିଲେ ବି କ୍ଷତି ନାହିଁ । ଟିକିଏ ବେଶି କଥା- । ଆଚ୍ଛା ଆପଣଙ୍କ ମନ ଭଲନାହିଁ, ଗୋଟାଏ କାହାଣୀ ଶୁଣିବେ ?

ଜଗ

-

ପରିହାସ କରୁଛ ?

କରାଳୀ

-

କାହାଣୀ କହି ଆସେ ନାହିଁ ବୋଲି ଭାବୁଛନ୍ତି ?...ଘଞ୍ଚ ପର୍ବତମାଳା ବେଷ୍ଟିତ ଛୋଟ ଗାଆଁଟି, ଅଧିବାସୀ- ଆଦିବାସୀ, ଆଉ ଫେରୋ ମାଇନସ୍‌କାରଖାନାର କର୍ମଚାରୀଗଣ, ସ୍ତ୍ରୀ ଓ ପୁରୁଷ ମିଶି ଦୁଇ ତିନି ହଜାର । ସେ ମାଇନସ୍‌ର ମାଲିକ ରହନ୍ତି କଲିକତାରେ- ଖୁବ୍‌ଧନୀ ।

ଜଗ

-

ତୁନି ହୁଅ, କାହାଣୀ ଶୁଣିବାର ଅବସର ମୋର ନାହିଁ

କରାଳୀ

-

(ପୂର୍ବପରି କହିଚାଲିଲା) ସେହି କର୍ମଚାରୀଙ୍କ ମଧ୍ୟରେ ଗୋଟିଏ ପରିବାର- ଖ୍ରୀଷ୍ଟିଆନ । ବାପ, ମା ଓ ଏକମାତ୍ର ଝଅିକୁ ଘେନି ତାଙ୍କର ସଂସାର । ସୁଖୀ ସଂସାର କହିଲେ ଚଳେ । ମାଲିକ ସେଇ ଝିଅଟିକୁ ନିଜର ଝିଅ ବୋଲି ଆତ୍ମୀୟତା ପ୍ରକାଶ କଲା । ଝିଅଟିର ବୟସ ଅଳ୍ପ ୭।୮ବର୍ଷ ହେବ । ଆଜକୁ ପ୍ରାୟ ୧୦।୧୨ବର୍ଷ ତଳର କଥା- । ହଠାତ୍‌ ଦିନେ ସେହି ଆତ୍ମୀୟତା ପ୍ରକାଶ ପାଇଲା ଭିନ୍ନ ରୂପରେ । ମିଲ୍‌ମାଲିକର ଲୁବ୍‌ଧ ଦୃଷ୍ଟି ପଡ଼ିଲା ଝିଅଟିର ମା ଉପରେ । ବାପ ପ୍ରତିବାଦ କଲା- ପ୍ରତିରୋଧ କଲା ପ୍ରବୃତ୍ତି ଚରିତାର୍ଥ ବିରୁଦ୍ଧରେ । ଫଳରେ ହେଲା ବନ୍ଦୀ- ସ୍ଥାନାନ୍ତରୀତ ହେଲା ମାଲିକର ନିର୍ଦ୍ଦେଶରେ-

ଜଗ

-

ଆଃ- ବନ୍ଦକର-

କରାଳୀ

-

ସାଧାରଣର କଥାଟା କିନ୍ତୁ ଜଣାପଡ଼ିଲା । ମାତ୍ର ଧନବଳରେ ମାଲିକ ତାର ହିଂସ୍ର ବୃତ୍ତି ଚରିତାର୍ଥ କଲା- ଦିନେ ରାତିରେ ବଳପୂର୍ବକ ଅପହରଣ କରିନେଇ ସେଇ ସାନ ଝିଅଟିର ମା’କୁ । ଅସହାୟା ସେଇ ସାନଝିଅକୁ ସାହାଯ୍ୟ କରିବାକୁ କେହି ଆଗେଇ ଆସିଲେ ନାହିଁ- ଭୟରେ- ସାନ୍ତ୍ୱନା ଦେବାତ ଦୂରର କଥା । ବରଂ ମାଲିକର ପ୍ରରୋଚନାରେ ତା’ର ଏକ କର୍ମଚାରୀ ତାକୁ ଭୁଲେଇ-

ଜଗ

-

ମିଛକଥା- ମନଗଢ଼ା କଥା-

କରାଳୀ

-

ବାପକୁ ଖାଇବାକୁ ନଦେଇ ତା’ଠୁ ସ୍ୱୀକୃତି ନେବାକୁ ଚେଷ୍ଟାକଲା ମାଲିକ ଘଟଣା ମିଛ ବୋଲି । ମାତ୍ର, କ୍ରସ୍‌ ଛୁଇଁ ବାପ ଶପଥ କଲା ମରିବ ବରଂ ମିଛି କହିବ ନାହିଁ- ଅନ୍ୟାୟକୁ ପ୍ରଶ୍ରୟ ଦେବ ନାହିଁ । ଶେଷକୁ ସେଇଆ ହେଲା । ଖାଇବାକୁ ନ ପାଇ ଶୁଖି ଶୁଖି ବାପ ମରିଗଲା ବନ୍ଦୀ ହୋଇ- ଇଜ୍ଜତ୍‌ ହରେଇ ମା ଆତ୍ମହତ୍ୟା କଲା ବେକରେ ଦଉଡ଼ି ଦେଇ । ଅନାଥା ଝିଅଟା-

ଜଗ

-

ଏକାବେଳକେ ମିଛ- ପ୍ରମାଣ- ପ୍ରମାଣ କ’ଣ ?

କରାଳୀ

-

ବାସ୍ତବ କାହାଣୀ ବୋଲି ଭାବିଲେ ବୋଧହୁଏ ?

ଜଗ

-

ବାସ୍ତବ ? ଏଁ- ନା- ନା- କିଏ କହୁଚି? ଏଇଟା କାହାଣୀ- କାହାଣୀ ।

କରାଳୀ

-

ଭଲ ଲାଗୁଚି ତାହେଲେ ? ଶେଷା ଶୁଣନ୍ତୁ-

ଜଗ

-

ନା-ଶୁଣିବି ନାହିଁ-

କରାଳୀ

-

ଆହୁରି ଭଲ ଲାଗିବ । ସେଇ ଅସହାୟା ଝିଅ ବାପର କ୍ରସ୍‌ଧରି ଶପଥ ନେଲା- ଏ ଅତ୍ୟାଚାରର ପ୍ରତିଶୋଧ ନେବ । ବିଶ୍ୱର ସମସ୍ତ ଶକ୍ତି ଯଦି ତାର ପ୍ରତିରୋଧ କରେ ତେବେବି-

ଜଗ

-

କମଳା ? (ଚିତ୍କାର କରିଉଠିଲେ)

କରାଳୀ

-

ହାଃ- ହାଃ- ହାଃ- ଚିହ୍ନିଛନ୍ତି ତା’ହେଲେ ଛଦ୍ମବେଶୀ ଚମ୍ପତ୍ତି ରାୟ ? ମୁଁ ସେଇ କମଳା-ଆପଣଙ୍କ ଆଦରିଣୀ ଝିଅ- ହାଃ- ହାଃ- ହାଃ-

ଜଗ

-

ତୁମେ ହସନା କମଳା । ତୁମକୁ ମୁଁ ଚିହ୍ନିଚି- ତୁମର ଅବସ୍ଥା ମୁଁ ବୁଝିପାରୁଛି- ପଛକଥା ଭୁଲିଯାଅ-

କରାଳୀ

-

ମୋତେ ପାଗଳ କରିଦେଇପାରିବେ ?

ଜଗ

-

ମୁଁ ତୁମକୁ ଅନୁରୋଧ କରୁଛି-

କରାଳୀ

-

ଆଉ କିଛି ବେଶି- ?

ଜଗ

-

ଅନୁନୟ କରୁଛି- ତୁମ ପାଖରେ କ୍ଷମା ମାଗୁଛି-

କରାଳୀ

-

ଆହୁରି ବେଶି-

ଜଗ

-

ହାତ ଧରୁଛି- ପାଦବି ଧରୁଛି- ମୋର ମର୍ଯ୍ୟାଦା- ମୋର ସମ୍ମାନ-

କରାଳୀ

-

ଏତିକି- ଆଉ ପାରିବେ ନାହିଁ ?

ଜଗ

-

ତୁମେ ମୋତେ ମୁକ୍ତି ଦିଅ- ମୁଁ ତୁମକୁ ମୋର ସମ୍ପତ୍ତିର......

କରାଳୀ

-

ମୋର ପ୍ରାପ୍ୟ ଅନେକ ବେଶି- ଏତିକିରେ ତା’ ପୂର୍ଣ୍ଣ ହେବନାହିଁ । ମୁଁ ଆଦାୟ କରିବାକୁ ଆସିଛି- ହିସାବ ନିକାଶ କରି-

ଜଗ

-

ଶୁଣ କମଳା, ଏଠି କେହିନାହିଁ- କେହି ଜାଣିବେନି । ତୁମକୁ ମୁଁ ନଗଦ ପଚାଶ ହଜାର ଟଙ୍କା ଦେବି ।

କରାଳୀ

-

(ହସିଲେ) ଦେବେ ?

ଜଗ

-

ଏକଲକ୍ଷ ଟଙ୍କା ଦେବି-

କରାଳୀ

-

(ଆହୁରି ଜୋରରେ ହସିଲା)

ଜଗ

-

ଦୁଇଲକ୍ଷ-

କରାଳୀ

-

ହାଃ- ହାଃ- ହାଃ- ହାଃ- (ଉନ୍ମାଦିନୀ ପରି ହସିଲା)

ଜଗ

-

ତିନିଲକ୍ଷ...

କରାଳୀ

-

ଲକ୍ଷରେ ଲକ୍ଷ୍ୟଭ୍ରଷ୍ଟ ହେବାର ଝିଅ କରାଳୀ ନୁହେଁ- ହାଃ- ହାଃ- ହାଃ-

ଜଗ

-

(ଉତ୍‌କ୍ଷିପ୍ତ ହୋଇଉଠିଲେ କରାଳୀର ବ୍ୟବହାରରେ) ଆଃ- ବନ୍ଦକର- ଉତ୍କଟ ହସ । ନହେଲେ-

 

 

(ହଠାତ୍‌ କରାଳୀକୁ ଧରିବାକୁ ପାଖକୁ ଲାଗିଆସିଲେ । କରାଳୀ ପ୍ରସ୍ତୁତ ଥିଲା ତ୍ୱରିତରେ ସେ ପିସ୍ତଲଟା ବାହାର କରି ଲକ୍ଷ୍ୟକଲା ଜଗମୋହନକୁ)

କରାଳୀ

-

Stop you Champati Ray

 

 

(ଜଗମୋହନ କରାଳୀର ସେ ରୂପ ଓ ପିସ୍ତଲ ଲକ୍ଷ୍ୟରେ ବିଚଳିତ ହୋଇପଡ଼ିଲେ । ତାଙ୍କ କଣ୍ଠରୁ ବାହାରିଲା ଏକ ଭୟାର୍ତ୍ତ ଚିତ୍କାର । ସେ ଚିତ୍କାର ଶୁଣି ଭିତରୁ ଆସିଲେ ରତ୍ନଗର୍ଭା । ଜଗମୋହନ ପ୍ରତି କରାଳୀର ପିସ୍ତଲ ଲକ୍ଷ୍ୟ ଦେଖି ଭୀତହୋଇ ଚିତ୍କାର କରିଉଠିଲେ । ସେ ଚିତ୍କାରରେ କରାଳୀ ଟିକିଏ ଚହଲିଗଲା । ତା’ର ଏଇ ଅନ୍ୟମନସ୍କତାର ସୁଯୋଗରେ ଜଗମୋହନ ପିସ୍ତଲଟା ଛଡ଼େଇନେଇ ତାକୁଇ ଲକ୍ଷ୍ୟକଲେ । ମାତ୍ର କରାଳୀ ଖାଲି ହସିବାକୁ ଲାଗିଲା ।

କରାଳୀ

-

ପିସ୍ତଲ ଫୁଟାଅ ଜଗମୋହନ ଚମ୍ପତି ରାୟ-

 

 

(ଜଗମୋହନ କରାଳୀକୁ ଲକ୍ଷ୍ୟକରି ପିସ୍ତଲର ଘୋଡ଼ା ଟିପିଲେ, ମାତ୍ର ପିସ୍ତଲରୁ ଗୁଳି ବାହାରିଲା ନାହିଁ । ଜଗମୋହନ ଥରକଥୁର ଚେଷ୍ଟାକରି ମଧ୍ୟ ନ ପାରିବାରୁ, ବିଚଳିତ ହୋଇପଡ଼ିଲେ । ତାଙ୍କର ଏଇ ଅବସ୍ଥା ଦେଖି କରାଳୀ ଆହୁରି ଜୋରରେ ହସିଉଠିଲା ପରେ କହିଲା)

 

 

ଏତେ ଅଳ୍ପ ବୁଦ୍ଧି ଘେନି ମୁଁ ଗୋଟାଏ ହିଂସ୍ର ଜାନୁଆର ସଙ୍ଗେ ଖେଳିବାକୁ ଆସିନି । ଏ ପିସ୍ତଲର ବ୍ୟବହାର ସମସ୍ତେ ଜାଣନ୍ତି ନାହିଁ । (ଟିକିଏ ରହି ପୁଣି ଖୁବ୍‌ ଉତ୍ତେଜିତ ହୋଇ କହିଲା) ଫେରେଇ ଦିଅ ମୋ ପିସ୍ତଲ ଚମ୍ପତି ରାଏ । ନହେଲେ ଦେଖୁଚ- ଦେଖୁଚ ଏଇ ଛୁରି- ।

 

 

(କହିବା ସଙ୍ଗେ ସଙ୍ଗେ ଅଣ୍ଟା ପାଖରୁ ବାହାର କଲା ଏକ ଛୋଟ ବ୍ଳେଡ଼୍‌ଭଳି ଜିନିଷ । ତାର ଗୋଟାଏ ପାଖ ବୋତାମ ଟିପିଦେବା ସଙ୍ଗେ ସଙ୍ଗେ ପ୍ରାୟ ୬ ଇଞ୍ଚ ଲମ୍ୱର ଏକ ଇସ୍ପାତର ଛୁରି ବାହାରିପଡ଼ିଲା ଜଗମୋହନ ବିମୂଢ଼ ହୋଇଗଲେ । ରତ୍ନଗର୍ଭା ଦୂରେଇ ଠିଆହୋଇ ସବୁ ଦେଖୁଥିଲେ । ସ୍ୱାମୀର ଏଇ ଅସହାୟ ଅବସ୍ଥା ଦେଖି ସେ ଭୟରେ ବିହ୍ୱଳ ହୋଇପଡ଼ିଲେ । ଉପାୟହୀନ ହୋଇ ଧାଇଁଆସିଲେ କରାଳୀ ପାଖକୁ । ହାତଜୋଡ଼ି କହିଲେ- )

ରତ୍ନ

-

କରାଳୀ- ତୁ ପରା ମୋତେ ମା’ବୋଲି ଡାକିଛୁ ?

କରାଳୀ

-

ବଞ୍ଚିଥିବା ଯାଏଁ ସେହିପରି ଡାକିବି । ହେଲେ, ତୁମେ ଦୂରେଇ ଯାଅ- ମୁଁ ଦୁର୍ନୀତିକୁ ଦୂର କରିବି ଏଇ ଦୁନିଆରୁ ।

 

 

(ଏତିକିବେଳେ ବାହାରପଟୁ ଭିତରକୁ ଆସିଲେ ସୁଜନ କହୁ କହୁ । ଜଗମୋହନ ଓ ରତ୍ନଗର୍ଭା ବିସ୍ମିତ ହୋଇ ଚାହିଁ ରହିଲେ ।)

ସୁଜନ

-

ଦୁର୍ନୀତି ଦୂର କରିବାକୁ ଯାଇ ଅନୀତିର ଆଶ୍ରୟନେବା ଅନୁଚିତ ।

କରାଳୀ

-

ଆପଣ, ଆପଣ କାହିଁକି ଆସିଲେ ?

 

 

ଜଗମୋହନ ଓ ରତ୍ନଗର୍ଭା । - ସୁଜନ !

ସୁଜନ

-

ବାହାରେ ବହୁଲୋକ । ସେମାନେ ଜଗମୋହନ ଚମ୍ପତି ରାୟଙ୍କୁ ଭେଟି ସେମାନଙ୍କର ପ୍ରାପ୍ୟ ଆଦାୟ କରିବାକୁ ତତ୍ପର ।

କରାଳୀ

-

ତା’ ପୂର୍ବରୁ ମୁଁ ଆଦାୟ କରିନିଏ ମୋର ପ୍ରାପ୍ୟ- ବହୁଦିନର- ବହୁ ପ୍ରକାରର- ।

 

 

(କହୁ କହୁ ଛୁରି ଧରି ଆଗେଇଗଲେ ଚମ୍ପତି ରାୟଆଡ଼କୁ । ଜଗମୋହନ ଥରିବାକୁ ଲାଗିଲେ- ରତ୍ନଗର୍ଭା ଚିତ୍କାର କରିଉଠିଲେ । ସୁଜନ ହଠାତ୍‌ ଆଗେଇଆସି କରାଳୀର ହାତ ଧରିପକେଇଲେ)

ସୁଜନ

-

କରାଳୀ ।

କରାଳୀ

-

ସ୍ପର୍ଶ କରନ୍ତୁ ନାହିଁ । ଚହଲେଇ ଦିଅନ୍ତୁ ନାହିଁ । ମୋର ବାପା- ମୋର ମା- ନଖାଇ- ନପିଇ ଶୁଖି ଶୁଖି ମରିଛନ୍ତି । ଆଜି ତାଙ୍କର ଆତ୍ମା ଟୋପାଏ ପାଣିପାଇଁ ବିକଳ ହୋଇ କାନ୍ଦୁଚି । ମୁଁ ପାଣି ବଦଳରେ ଦେବି ରକ୍ତ’ତ-

ସୁଜନ

-

କରାଳୀ, ରକ୍ତର ବଦଲା ରକ୍ତରେ ନେବା ଗୌରବର କଥାନୁହଁ-

କରାଳୀ

-

କିଛି ଶୁଣିବି ନାହିଁ- । ଯା’ନ୍ତୁ- ଆପଣ ଦୂରେଇଯାନ୍ତୁ । ଆଃ- ହାତ ଛାଡ଼ନ୍ତୁ-

ସୁଜନ

-

ତୁମର ପନ୍ଥା ଭୁଲ୍ । ଦୁର୍ନୀତି ଓ ଦୁଷ୍କର୍ମ୍ମର ଅପସାରଣ ଅନୀତି ଓ ଅପକର୍ମରେ ହୁଏନା । ହୁଏ ନ୍ୟାୟ, ନିଷ୍ଠା ଓ ପ୍ରେମରେ-

କରାଳୀ

-

ମୁଁ କିଛି ଶୁଣିବାକୁ ଚାହେଁନା- ମୋର ବ୍ରତ- ମୋର ଶପଥ-

ସୁଜନ

-

କରାଳୀ-

କରାଳୀ

-

ବିଦ୍ଧ କରିଦିଅ ଏଇ ଛୁରି ଏଇ ଉନ୍ମୁକ୍ତ ବୁକୁରେ ଶେଷ ହେଇଯାଉ ଏଇ ଅଭିଶପ୍ତ ଜୀବନ ।

ଜଗ

-

କରାଳୀ- ମା’- ତୋର ଏଇ ଅପରାଧୀ ବାପକୁ- । ସୁଜନ, ବାହାରର ସମସ୍ତଙ୍କୁ ଡାକ- ସେଇ ନୀପିଡ଼ିତ ଜନତା କରିବେ ମୋର ବିଚାର । ମୁଁ ମୋର ସ୍ଥାବର ଅସ୍ଥାବର ସମସ୍ତ ସମ୍ପତ୍ତି ଲେଖିଦେବି ଦରିଦ୍ରଙ୍କ କଲ୍ୟାଣ ଉଦ୍ଦେଶ୍ୟରେ- ।

ରତ୍ନ

-

ମା, କରାଳୀ-

କରାଳୀ

-

ମି: ରାୟ....ଆପଣଙ୍କର ଜୟହେଲା । ସୁଜନବାବୁ ଆପଣଙ୍କର ସଦୂପଦେଶ ମତେ ଚହଲେଇ ଦେଇଛି । ଆଉ ପାରୁନି- ରାତି ଅନେକ ହେଲାଣି- ମୁଁ ଚାଲିଲି ମୋର ନିର୍ଦ୍ଦିଷ୍ଟ ପଥରେ-

 

 

(ଆଗେଇ ଯାଉଥିଲା ସୁଜନ ଡାକିବାରୁ ଅଟକି ରହିଗଲା ।)

ସୁଜନ

-

କରାଳୀ- ଭଉଣୀ ।

କରାଳୀ

-

ନା, ଆଉ କୋମଳ କଥା କହି ମୋର ପଥ ରୋଧ କରନ୍ତୁ ନାହିଁ ।

ସୁଜନ

-

ମନେରଖ କରାଳୀ- ଦୁର୍ନୀତି କେବେହେଲେ ଲୋପ ପାଏନା- ସାମୟିକ ତାର ପ୍ରଭାବ ଓ ପ୍ରକୋପ କମିଯାଏ ମାତ୍ର । ଆଲୋକର ସାଥି ଅନ୍ଧକାର ପ୍ରକୃତିର ନିୟମ- ସତ୍ୟର ସହଚର ମିଥ୍ୟା- ଚିରନ୍ତନ-

କରାଳୀ

-

ବନ୍ଦ କରନ୍ତୁ ଆପଣଙ୍କର ହିତୋପଦେଶ । ଇୟେ ମୋର ବ୍ରତ ।

ସୁଜନ

-

କରାଳୀ-

କରାଳୀ

-

ନା- ନା- ପାରୁନି- ପାରିବିନି । ମୋର ପଥ ପିଚ୍ଛିଳ- ମୋର ପନ୍ଥା ଜଟିଳ ।

ସୁଜନ

-

ନିଜକୁ ଥରେ ଚିହ୍ନିବାର ଚେଷ୍ଟାକର- ସବୁ ଜଟିଳତା ଦୂର ହୋଇଯିବ ।

କରାଳୀ

-

ହଁ, ମୁଁ କରିବି ମୋର ନିଜତ୍ୱର ସନ୍ଧାନ । ଆଲୋକ- କାହିଁ ଆଲୋକ-

ସୁଜନ

-

ଆଖିରୁ ଗାନ୍ଧାରୀର ମିଥ୍ୟା ସମର୍ଥନର ଅନ୍ଧପୁଟୁଳି ଖୋଲିଦିଅ- ଦୀପ୍ତ ଆଲୋକରେ ତୁମର ଆଖି ଝଲସିଉଠିବ ମନ ଗହୀରର ନୀବିଡ଼ ଅନ୍ଧକାର ଦୂର ହୋଇଯିବ ।

କରାଳୀ

-

ଚାଲିଲି ସେଇ ଆଲୋକର ସନ୍ଧାନରେ- ଆଲୋକ- ଆଲୋକ ।

 

 

(ଦ୍ରୁତ ବେଗରେ ବାହାରିଗଲା । ସୁଜନ ତାର ଯିବା ବାଟକୁ ଚାହିଁ ରହିଲେ । ସୁଜନ ଓ କରାଳୀର ଉପରୋକ୍ତ କଥାବାର୍ତ୍ତା ବେଳେ ହଠାତ୍‌ ଜଗମୋହନ ଓ ରତ୍ନଗର୍ଭା କିପରି ଶିହରଣ ଅନୁଭବ କଲେ । କ୍ରମଶଃ ତାଙ୍କ ଦେହ ପଙ୍ଗ ହୋଇଗଲା । ସେମାନେ ଆଉ ଘୁଞ୍ଚି ପାରିଲେ ନାହିଁ, ମୁହଁରୁ କଥା ମଧ୍ୟ ଫୁଟିଲା ନାହିଁ । କାତର ଦୃଷ୍ଟିରେ ଦୁହେଁ ଦୁହିଁଙ୍କୁ ଚାହିଁ ରହିଲେ । X X X X ଦୂରରୁ ଶୁଣାଗଲା ଜଗମୋହନଙ୍କ କଣ୍ଠସ୍ୱର ଭଳି)

ନେପଥ୍ୟରୁ

-

ମୁଁ ଧୃତରାଷ୍ଟ୍ର- ତୁମେ ଗାନ୍ଧାରୀ

ଶେଷ

-

ଯବନିକା ନଇଁ ଆସିଲା

—O—